ହଠାତ୍‌ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଅଢେଇ ଲକ୍ଷ ଟଙ୍କା: ଖୁସି ହେବା ପରିବର୍ତ୍ତେ କଲେ ଏମିତି କାମ

କୋରାପୁଟ,୧୮।୩(ଅମିତାଭ ବେହେରା): ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। ନିଜ ବ୍ୟାଙ୍କ ଆକାଉଣ୍ଟକୁ ଭୁଲ୍‌ରେ ଆସିଥିବା ଟଙ୍କା ଫେରାଇ ମାନବିକତାର ପରିଚୟ ଦେଲେ କୋରାପୁଟର ଯୁବକ ଶରତ ପଟ୍ଟନାୟକ। ସୂଚନା ଅନୁସାରେ ଗତ ଶନିବାର କୋରାପୁଟ ସହରର ଯୁବକ ଶରତ ପଟ୍ଟନାୟକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚାନକ ୨,୫୩,୭୨୫ ଜମା ହୋଇଥିଲା। ଏତେ ଗୁଡିଏ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ଟଙ୍କା କିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ସେ ନେଇ ତର୍ଜମା କଲେ। ତାଙ୍କର କେହି ସମ୍ପର୍କୀୟ କି ବାକିଥିବା କୌଣସି ଟଙ୍କା ତାଙ୍କ ପାଖକୁ ଆସି ନ ଥିଲା l ଶନିବାର ସାରେ ଚେନାଇରୁ ଜଣେ ମହିଳା ଫୋନ କରି କହିଲେ ଯେ କମ୍ପାନୀ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଉଥିବା ବେଳେ ଭୁଲବଶତଃ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯାଇଛି। ଫୋନ କରିଥିବା ମହିଳାଙ୍କୁ ଟଙ୍କା ଫେରେଇବା ପାଇଁ ଆଶ୍ୱସନା ଦେବା ସହିତ ଏ ନେଇ ବ୍ୟାଙ୍କ ସହିତ ଆଲୋଚନା କରିଥିଲେ l ବ୍ୟାଙ୍କ ଓ ଟଙ୍କା ଆସିଥିବା ସମ୍ପୃକ୍ତ କମ୍ପାନୀ ସହିତ ଯୋଗାଯୋଗ କରି ସେ ସମସ୍ତ ଟଙ୍କା କମ୍ପାନୀ ଆକାଉଣ୍ଟକୁ ଫେରସ୍ତ କରିଛନ୍ତି l ଶରତଙ୍କ ଆକାଉଣ୍ଟ ଆସିଥିବା ଏତେ ଗୁଡିଏ ଟଙ୍କାକୁ ସେ ଲୋଭ ନ କରି ସମସ୍ତ ଟଙ୍କା ଫେରାଇ ଦେଇ ଥିବାରୁ ଉକ୍ତ କମ୍ପାନୀ ତରଫରୁ ଶରତଙ୍କୁ ସାଧୁବାଦ ଦିଆଯାଇଛି।