ହଠାତ୍‌ କୂଅରୁ ବାହାରିଲା ଗରମ ପାଣି, ଆଉ ତା’ ପରେ…

ମୁମ୍ବାଇ,୨୨ା୭: ମହାରାଷ୍ଟ୍ରର ବୁଲଢାପା ଜିଲାରେ ଏକ କୂଅରୁ ହଠାତ୍‌ ଗରମ ପାଣି ବାହାରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ପୂରା ଜିଲାରେ ଚର୍ଚ୍ଚା ହେଉଛି। ବୁଲଢାପା ଜିଲାର ସଂଗ୍ରାମପୁର ତହସିଲ ଅନ୍ତର୍ଗତ ଅକୋଲି ନାମକ ଏକ ଗାଁରେ ରହୁଥିବା ଭାନୁଦାସ ସାଲୁଙ୍କିଙ୍କ ବାଡ଼ିରେ ୪୦ ଫୁଟ ଗଭୀରର କୂଅ ରହିଛି। ଯାହାକୁ ସେ ୧୪-୧୫ ବର୍ଷ ପୂର୍ବରୁ ତିଆରି କରିଥିଲେ।

କିଛିଦିନ ତଳେ ଭାନୁଦାସ କୂଅରୁ ପାଣି କାଢୁଥିବା ବେଳେ ତାଙ୍କୁ ଗରମ ଲାଗିଲା। ସେ ଆଉ ଥରେ ବାଲ୍‌ଟି ପକାଇ ପାଣି କାଢିଲେ। ତାହା ମଧ୍ୟ ଗରମ ଲାଗିଲା। ପରେ ଏହି ଖବର ପୂରା ଗାଁରେ ପ୍ରଚାରିତ ହୋଇଗଲା। ଏହାକୁ ଦେଖିବା ପାଇଁ କୂଅ ଚାରିପଟେ ଲୋକଙ୍କ ଭିଡ଼ ଜମିଥିଲା। ତହସିଲ ପ୍ରଶାସନ ଏହି ଖବର ଜାଣିବା ପରେ ତହସିଲଦାର ନିଜ ଟିମ୍‌ ସହ କୂଅ ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ପାଣି ହାତରେ ନେଇ ଯାଞ୍ଚ କରିବାରୁ ହାତକୁ ତାହା ଗରମ ଲାଗିଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କୂଅଠୁ ୧୫ ଫୁଟ ଦୂରରେ ଥିବା ଆଉ ଏକ କୂଅର ପାଣି ସାଧାରଣ ଥିଲା। ତହସିଲଦାର ଦୁଇଟି କୂଅ ପାଣିର ନମୁନା ଯାଞ୍ଚ ପାଇଁ ନେଇଛନ୍ତି। ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

Share