ଯମେଶ୍ୱରଙ୍କଠାରୁ ହିସାବ ବୁଝିଲେ ସୁଦର୍ଶନ

ପୁରୀ ଅଫିସ, ୨୭ା୮: ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ହେଉଛନ୍ତି ଶ୍ରୀଲୋକନାଥ। ସେହିପରି ଶ୍ରୀମନ୍ଦିରର ବର୍ଷକ ଯାକର ହିସାବ ବୁଝାଶୁଝା କରନ୍ତି ପ୍ରଭୁ ଯମେଶ୍ୱର। ତେଣୁ ଯମେଶ୍ୱରଙ୍କୁ ଶ୍ରୀମନ୍ଦିରର ହିସାବ ରକ୍ଷକ କୁହାଯାଏ। ପବିତ୍ର ରାଧାଷ୍ଟମୀରେ ମହାପ୍ରଭୁଙ୍କ ପ୍ରତିନିଧି ଶ୍ରୀସୁଦର୍ଶନ ଯମେଶ୍ୱରଙ୍କ ନିକଟକୁ ଯାଇ ଶ୍ରୀମନ୍ଦିରର ବର୍ଷକ ଯାକର ଆୟ ବ୍ୟୟ ହିସାବ ବୁଝି ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥାନ୍ତି।
ବୁଧବାର ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳିତ ହୋଇଛି। ସକାଳ ଧୂପ ବଢିବା ପରେ ଶ୍ରୀଦେବୀ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ସାତପାହାଚ ତଳେ ଥିବା ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ। ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡ଼ିିଥିବା ଖଟଶେଯରେ ବିଜେ ହୋଇଥିଲେ। ସେଠାରେ ମାଜଣା, ଶୀତଳ ଭୋଗ ଓ ବନ୍ଦାପନା ହୋଇଥିଲା। ମଧ୍ୟାହ୍ନ ଧୂପ ଉଠିବା ପରେ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରିଥିଲେ। ପରେ ଶ୍ରୀଦେବୀ, ଭୁଦେବୀଙ୍କୁ ପୁଷ୍ପାଳକ ସେବକମାନେ ଖଟଶେଯ ଘରେ ବିଜେ କରାଇ ଥିଲେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଜଗମୋହନରେ ଥିବା ଚଉଦୋଳରେ ବିଜେ ହୋଇଥିଲେ। ବିମାନବଡୁମାନେ ଚଉଦୋଳ ଝୁଲଣ ମଣ୍ଡପ ତଳକୁ ନେଇଥିଲେ। ଏହାପରେ ସୁଦର୍ଶନ ଯମେଶ୍ୱରଙ୍କ ଜହ୍ନିମୁଣ୍ଡିଆ ଉପରେ ବିଜେ ହୋଇଥିଲେ। ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ପରେ ସେଠାକାର ପୂଜାପଣ୍ଡା ଆୟ ବ୍ୟୟ ବୁଝାଇଥିଲେ। ପରେ ବିଭିନ୍ନ ଜାଗାରେ ପନ୍ତି ଖାଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।