ସୁଦାନରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ୭୨ ଘଣ୍ଟାର ସିଜଫାୟାର ଲାଗୁ, ଖୁବଶୀଘ୍ର ଉଦ୍ଧାର ହୋଇପାରନ୍ତି ଭାରତୀୟ

ଖାରତୋମ,୨୫।୪: ହିଂସାଗ୍ରସ୍ତ ସୁଦାନରେ ଦୁଇ ପକ୍ଷର ଜେନରାଲ ୭୨ ଘଣ୍ଟାର ସିଜଫାୟାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଆମେରିକାର ବିଦେଶ ମନ୍ତ୍ରୀ ଏଣ୍ଟନି ବ୍ଲିଙ୍କନ ଏହି ସୂଚନା ଦେଇଛନ୍ତି। ପ୍ରାୟ ୧୦ ଦିନର ଲଢେଇ, ଶହ ଶହ ଲୋକଙ୍କ ମୃତ୍ୟୁ ଓ ବହୁ ସଂଖ୍ୟାରେ ବିଦେଶୀ ନାଗରିକଙ୍କ ପଳାୟନ ପରେ ଏହି ସିଜଫାୟାର ହେବାକୁ ଯାଉଛି। ଏହା ପୂର୍ବରୁ ବି ଦୁଇ ପକ୍ଷ ସିଜଫାୟାର ପାଇଁ ଚେଷ୍ଟା କରିଥିଲେ ହେଲେ ଏହା ସଫଳ ହୋଇ ନ ଥିଲା। ବ୍ଲିଙ୍କନ କହିଛନ୍ତି ଗତ ୪୮ ଘଣ୍ଟାର କଥାବାର୍ତ୍ତା ପରେ ସୁଦାନ ଆର୍ମଡ ଫୋର୍ସେସ ଓ ର଼୍ୟାପିଡ ସପୋର୍ଟ ଫୋର୍ସେସ ରାଷ୍ଟ୍ର ବ୍ୟାପି ସିଜଫାୟାର ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ଏହି ସିଜଫାୟାର ୨୪ ଏପ୍ରିଲ ମଧ୍ୟ ରାତ୍ରିରୁ ଆରମ୍ଭ ହୋଇ ୭୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ସଂଘର୍ଷଗ୍ରସ୍ତ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ‘ଅପରେଶନ କାବେରି’ ଆରମ୍ଭ କରିଛନ୍ତି। ସିଜଫାୟାର ଲାଗୁ ହେବା ସହ ଭାରତ ଖୁବଶୀଘ୍ର ଏହି ଆଫ୍ରିକୀୟ ଦେଶରେ ଫସି ରହିଥିବା ତା’ର ନାଗରିକଙ୍କୁ ଉଦ୍ଧାର କରିବା କାମ ଆରମ୍ଭ କରିବ।

Share