ଦାରିଙ୍ଗବାଡି,୧୭।୭ (ଅରୁଣ ସାହୁ)- ତାମିଲନାଡୁରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମୃତଦେହ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ଗ୍ରୀନବାଡି ବାସଭବନରେ ପହଞ୍ଚିଛି। ରଘୁନାଥ ନାୟକ ଓରଫ ଦାସିଆଙ୍କ ମୃତଦେହ ପହଞ୍ଚିବା ସମୟରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ରଘୁନାଥଙ୍କୁ ତାଙ୍କ ପରିବାର ସମେତ ସାଙ୍ଗସାଥି, ସାହି ବାସିନ୍ଦା ସମସ୍ତେ ଝୁରୁଛନ୍ତି। ସମସ୍ତେ ତାଙ୍କ ପ୍ରଶଂସା କରୁଥିଲେ। ତାଙ୍କୁ ମନେପକାଇ ସେ କିଭଳି ଶାନ୍ତ ସ୍ବଭାବର ପିଲା ଥିଲେ ଓ ଘର ପରିବାରର ବୋଝ ମୁଣ୍ଡାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥିଲେ, ସେନେଇ ଆଲୋଚନା କରୁଥିଲେ। ଏବେ କିଭଳି ପରିବାର ଚାଲିବ, ବିଧବା ସ୍ତ୍ରୀ ଓ ମା’ଏବଂ ୨ ବର୍ଷର ଶିଶୁକୁ କିଭଳି ପ୍ରତିପୋଷଣ ହୋଇପାରିବ ସେନେଇ ଚିନ୍ତା ବଢିଯାଇଛି।
ମା’ ଜାନକୀ ନାୟକ ତାଙ୍କ ବଡ଼ ଓ ରୋଜଗାରିଆ ପୁଅ ରଘୁନାଥଙ୍କୁ ଝୁରି ଝୁରି ଆଖିରୁ ଲୁହ ଶୁଖୁ ନ ଥିବା ଜଣାପଡିଛି। କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ପ୍ରକାଶ ଯେ, ଗ୍ରୀନବାଡିର ରଘୁନାଥ ନାୟକ ଓରଫ ଦାସିଆ ନିଜ ପରିବାର ପ୍ରତିପୋଷଣ ହେବା ପାଇଁ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଗତ ସପ୍ତାହରେ ସେ ବାଇକରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାଙ୍କ ମୁଣ୍ଡକୁ ଶକ୍ତ ଧକ୍କା ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ହୋଇଥିଲା। ସେଠାରୁ ତାଙ୍କୁ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ମଧ୍ୟାହ୍ନରେ ଗ୍ରୀନବାଡି ନିଜ ବସଭାବନରେ ମୃତଦେହ ପହଞ୍ଚିଥିଲା। ମୃତଦେହ ପହଞ୍ଚିବାବେଳେ ଗ୍ରୀନବାଡିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଞ୍ଚଳବାସୀ ଏହି ଖବରକୁ ଅତି ସହଜରେ ଗ୍ରହଣ କରିପାରୁ ନ ଥିଲେ। ରଘୁନାଥ ଜଣେ ଶାନ୍ତ ସରଳ ଓ ପରିଶ୍ରମୀ ଥିଲେ। ମା’ ତାଙ୍କୁ ହରାଇ ଆଖିରୁ ଲୁହ ଶୁଖୁନି। ଏଭଳି ପୁଅ ଆମେ ଆଉ ଖୋଜିଲେ ପାଇବୁନାହିଁ ବୋଲି ସମ୍ପର୍କୀୟ ବାହୁନି ବାହୁନି କାନ୍ଦୁଛନ୍ତି। ପରିବାର ଲୋକଙ୍କୁ ସରକାର ସାହାଯ୍ୟ କରିବାକୁ ସମସ୍ତେ ନିବେଦନ କରିଛନ୍ତି।


