‘ପ୍ରଳୟ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୨।୧୨: ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ବୁଧବାର ପୂର୍ବାହ୍ନରେ ଓଡ଼ିଶା ଉପକୂଳ ଅବଦୁଲ କାଲାମ ଦ୍ୱୀପ ୪ ନମ୍ବର ଲଞ୍ଚ ପ୍ୟାଡ଼ରୁ ‘ପ୍ରଳୟ’ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି । ଭାରତର ପ୍ରତିରକ୍ଷା ବିଭାଗ ବିକଶିତ ଯୁଦ୍ଧକ୍ଷେତ୍ର ବ୍ୟବହାର ପାଇଁ ପ୍ରଳୟ ହେଉଛି ଏକ କଠିନ-ଇନ୍ଧନ ଭୂପୃଷ୍ଠରୁ ସର୍ଟ-ରେଞ୍ଜ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ।ମାର୍ଚ୍ଚ ୨୦୧୫ରେ ୩୩୨.୮୮ କୋଟି ବଜେଟ ସହିତ ‘ପ୍ରଳୟ’ ବିକାଶ ପାଇଁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିସାଇଲର ଓଜନ ୫ ଟନ୍‌ ହୋଇଥିବାବେଳେ ଏହା ୫୦୦-୧୦୦୦ କିଲୋଗ୍ରାମ ଯୁଦ୍ଧାସ୍ତ୍ର ବହନ କରିପାରିବ କ୍ଷମତା ରଖିଛି । ଏହା ୩୫୦-୫୦୦ କିଲୋ ମିଟର ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ । ଏହି ପରୀକ୍ଷା ସମୟରେ ବହୁ ବୈଜ୍ଞାନିକ ଉପସ୍ଥିତ ଥିଲେ ।