ଭିଏଲ୍‌-ଏସ୍‌ଆର୍‌ ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୨୫ା୬: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ଭିଏଲ-ଏସ୍‌ଆରଏସ୍‌ଏଏମ୍‌’ର ଉତ୍‌କ୍ଷେପଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା।
ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରୁଥିବା ଭିଏଲ-ଏସ୍‌ଆରଏସ୍‌ଏଏମ୍‌ କ୍ଷେପଣାସ୍ତ୍ର ହେଉଛି ଯୁଦ୍ଧ ଜାହାଜରେ ଖଞ୍ଜା ହେଉଥିବା ଏକ ଅସ୍ତ୍ର ପ୍ରଣାଳୀ, ଯାହାକି ସମୁଦ୍ର ପତ୍ତନ ହେଉ କି ଆକାଶମାର୍ଗରୁ ଆସୁଥିବା ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ ନିଷ୍କ୍ରିୟ କରିବାକୁ ସକ୍ଷମ। ତେବେ ଶୁକ୍ରବାର ଆକାଶମାର୍ଗରେ ଦ୍ରୁତଗତିରେ ଆସୁଥିବା ବିମାନକୁ ଟାର୍ଗେଟ କରାଯାଇ ଏହି କ୍ଷେପଣାସ୍ତ୍ରକୁ ଜାହାଜରୁ ଉତ୍‌କ୍ଷେପଣ କରାଯାଇଥିଲା ଏବଂ ଏହା ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଚାନ୍ଦିପୁର ଆଇଟିଆର ପକ୍ଷରୁ ନିୟୋଜିତ ଏକାଧିକ ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି ଓ ମାର୍ଗ ସମେତ ସମସ୍ତ କାର୍ଯ୍ୟକ୍ଷମତା ମାପଦଣ୍ଡ ନିରୀକ୍ଷଣ କରାଯାଇଥିଲା। ଡିଆରଡିଓ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ନୌସେନା ଏବଂ ଉଦ୍ୟୋଗ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଆକାଶମାର୍ଗରୁ ଆସୁଥିବା ବିପଦ ବିରୋଧରେ ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକର କ୍ଷମତା ଆହୁରି ବୃଦ୍ଧିପାଇବ ବୋଲି କହିଛନ୍ତି। ସେହିପରି ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାର ଭିଏଲ-ଏସଆରଏସ୍‌ଏଏମ୍‌ର ସଫଳ ପରୀକ୍ଷଣ ପାଇଁ ଭାରତୀୟ ନୌସେନା ଏବଂ ଡିଆରଡିଓ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଛନ୍ତି। ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ ହେବା ଦ୍ୱାରା ଭାରତୀୟ ନୌସେନାର ପ୍ରତିରକ୍ଷା ସାମର୍ଥ୍ୟ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜି ସତୀଶ ରେଡ୍ଡୀ ଏହି ସଫଳ ପରୀକ୍ଷଣରେ ସାମିଲ ଥିବା ଦଳକୁ ପ୍ରଶଂସା କରିଛନ୍ତି। ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସ୍ବଦେଶୀ ଅସ୍ତ୍ର ପ୍ରଣାଳୀ ସାମିଲ ହେବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରୁ ପ୍ରମାଣିତ ହୋଇଛି।