ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୯।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌)ରୁ ‘ବ୍ରହ୍ମୋସ’ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ଏୟାରଭର୍ସନ୍‌ର ପରୀକ୍ଷଣ ସଫଳ ହୋଇଛି। ବୁଧବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍‌ ସମୟରେ ସୁଖୋଇ-୩୦ ଏମ୍‌କେ-୧ ଯୁଦ୍ଧବିମାନରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା। ବିମାନରୁ ସମସ୍ତ ମିଶନ ଉଦ୍ଦେଶ୍ୟ ପୂରଣ ଲାଗି ପୂର୍ବ-ଯୋଜନାବଦ୍ଧ ଟ୍ରାଜେକ୍ଟୋରି ଅନୁସରଣ କରାଯାଇଥିଲା। ଏହି ମିଶାଇଲ ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ କୁହାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍‌ଡିଓ ସହିତ ପରୀକ୍ଷଣରେ ସମ୍ପୃକ୍ତ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।
‘ବ୍ରହ୍ମୋସ’ ବିକାଶରେ ଏହି ସଂସ୍କରଣ ଏକ ପ୍ରମୁଖ ମାଇଲଖୁଣ୍ଟ। ଦେଶରେ ଏୟାର ଭର୍ସନ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର କ୍ରମିକ ଉତ୍ପାଦନ ବ୍ୟବସ୍ଥା ଲାଗି ବାଟ ଫିଟିଛି। ଏଥିରେ ବ୍ୟବହୃତ ଅଧିକାଂଶ ଯନ୍ତ୍ରାଂଶ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ। ଏଥିରେ ଅନ୍ତର୍ଭୁକ୍ତ ହୋଇଛି ଧାତବ ଏବଂ ଅଣ-ଧାତବ ଏୟାରଫ୍ରେମ୍‌ ବିଭାଗଗୁଡିକ ରାମଜେଟ୍‌ ଇନ୍ଧନ ଟ୍ୟାଙ୍କ ବ୍ୟବସ୍ଥା। ପରୀକ୍ଷଣ ସମୟରେ ଏହାର ଗଠନମୂଳକ ଅଖଣ୍ଡତା ଏବଂ କାର୍ଯ୍ୟଦକ୍ଷତାର ପ୍ରମାଣିତ ହୋଇଛି। ଚଳିତବର୍ଷ ଜୁଲାଇରେ ‘ବ୍ରହ୍ମୋସ’ ଏୟାରଭର୍ସନର ଶେଷ ପରୀକ୍ଷା କରାଯାଇଥିଲା। ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବିକାଶ ଭାରତ (ଡିଆର୍‌ଡିଓ) ଏବଂ ରୁଷିଆ (ଏନ୍‌ପିଓଏମ୍‌ )ର ମିଳିତ ଉଦ୍ୟମରେ କରାଯାଇଛି। ‘ବ୍ରହ୍ମୋସ’ ପୂର୍ବରୁ ସଶସ୍ତ୍ର ବାହିନୀରେ ଅନ୍ତର୍ଭୁକ୍ତ ହୋଇସାରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭୦୦କି.ମି.ରୁ ୧୦୦୦ କି.ମି.। ଏହା ୨୦୦ କି.ଗ୍ରା.ରୁ ୧୦୦୦ କି.ଗ୍ରା. ବିଶିଷ୍ଟ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।