Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା, ନ୍ୟୁଜ୍‌ ପୋର୍ଟାଲ ଆତଙ୍କବାଦୀ ନିହତ…

ଶ୍ରୀନଗର, ୩୦।୩ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶ୍ରୀନଗର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କିଛି ଆପତ୍ତିଜନକ ପଦାର୍ଥ ମଧ୍ୟ ମିଳିଥିବା ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି।

ବୁଧବାର ଶ୍ରୀନଗର ସହରର ରୈନାୱାଡ଼ି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିବା ଦୁଇ ଜଣ ଲଶ୍ମର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଜମ୍ମୁ-କଶ୍ମୀର ପୋଲିସ କହିଛି। କଶ୍ମୀର ଜୋନର ପୋଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ ହତ୍ୟା କରାଯାଇଥିବା ଉଭୟ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା।

ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଅନନ୍ତନାଗରେ ଏକ ଅନଲାଇନ ନ୍ୟୁଜ ପୋର୍ଟାଲ ‘ଭ୍ୟାଲି ନ୍ୟୁଜ ସର୍ଭିସ’ ଚଳାଉଥିବା ପୂର୍ବତନ ଗଣମାଧ୍ୟମ ପ୍ରତିନିଧି ରାଇସ ଅହମ୍ମଦ ଭଟ ବୋଲି ଜଣାପଡିଛି। ତାଙ୍କଠାରୁ ଏକ ପ୍ରେସ କାର୍ଡ ମିଳିଛି । କାର୍ଡ ଅନୁଯାୟୀ ନିହତ ଆତଙ୍କବାଦୀ ରାଇସ ଅହମ୍ମଦ ଭଟ ନ୍ୟୁଜ ଏଜେନ୍ସି ଭ୍ୟାଲି ନ୍ୟୁଜ ସର୍ଭିସର ମୁଖ୍ୟ ସମ୍ପାଦକ ଥିଲେ। ଜାଣିବାକୁ ମିଳିଛି ଯେ ଭଟ ଗତ ବର୍ଷ ଅଗଷ୍ଟରେ ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀର ପୋଲିସର ଆତଙ୍କବାଦୀଙ୍କ ତାଲିକାରେ ଭଟଙ୍କୁ ’ସି’ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପୋଲିସର ସୂଚନାନୁସାରେ, ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇସାରିଛି।

କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ପୂର୍ବତନ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ପୃକ୍ତି ଗଣମାଧ୍ୟମର ଅପବ୍ୟବହାରର ଏକ ସ୍ପଷ୍ଟ ମାମଲା। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଦ୍ୱିତୀୟ ଆତଙ୍କବାଦୀ ବିଜବହାରର ବାସିନ୍ଦା ହିଲାଲ ଅହମ୍ମଦ ରହମ ବୋଲି ଜଣାପଡିଛି। ହିଲାଲ ମଧ୍ୟ ଜଣେ ‘ସି’ ବର୍ଗର ଆତଙ୍କବାଦୀ ଥିଲେ ବୋଲି ଆଇଜି କହିଛନ୍ତି।

Share