ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଶୁଭଶ୍ରୀ ସ୍ବାଇଁ ୫୫୨ ମାର୍କ ରଖିଥିବାବେଳେ ଓ ନନ୍ଦିତା ସେଠୀ ୫୪୦ ମାର୍କ ରଖି ଗ୍ରେଡ଼ ଏ ୧ରେ ପାସ ହୋଇଛନ୍ତି । ତେଣୁ ଉକ୍ତ ଦୁଇ ଛାତ୍ରୀଙ୍କୁ ସୋମବାର ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ବିଦ୍ୟାଳୟ ସଭାପତି ପ୍ରକାଶ ଚନ୍ଦ୍ର ଆଳତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗୁରୁ ମା’, ଗୁରୁଜୀଙ୍କ ପ୍ରଚେଷ୍ଟା ଏବଂ ଅଭିଭାବକମାନଙ୍କ ସହଯୋଗ ଓ ଛାତ୍ରୀଛାତ୍ରମାନଙ୍କ ଆଗ୍ରହ ଯୋଗୁ ଏହି ସଫଳତା ମିଳିଛି ବୋଲି କହିଥିଲେ।
ସମ୍ପାଦକ ସୀମାଞ୍ଚଳ ପାତ୍ର, ସଭ୍ୟ ନୀଳମାଧବ ପଣ୍ଡା, ରଘୁନାଥ ନାୟକ, ସ୍ବରାଜ୍ୟ ପାତ୍ର, ଅମ୍ବିକା କୁମାର ଶତପଥୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କହିଥିଲେ। ଶିକ୍ଷୟିତ୍ରୀ ସନ୍ତୋଷୀ ତ୍ରିପାଠୀ ସଭାକୁ ସଂଯୋଜନା କରିଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ଭଞ୍ଜନଗର ବ୍ଲକ ଓ ସହରରେ ୨୦ ଜଣ ଛାତ୍ରୀଛାତ୍ର ଗ୍ରେଡ଼ ଏ ୧ ରେ ପାସ ହୋଇଛନ୍ତି। ସେଥିମଧ୍ୟରୁ ୧୭ ଜଣ ଘରୋଇ ଶିକ୍ଷାନୁଷ୍ଠାନର ହୋଇଥିବା ବେଳେ ସରକାରୀ ଶିକ୍ଷାନୁଷ୍ଠାନର ୩ ଜଣ ଛାତ୍ରୀଛାତ୍ର ଅଛନ୍ତି।