‘ଆତ୍ମବିଶ୍ୱାସ ସହ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ’

ଝାରସୁଗୁଡ଼ା ଅଫିସ,୮ା୭: ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ପଞ୍ଚଗାଁ ଦେବକୀଦେବୀ ବାଳିକା ହାଇସ୍କୁଲ ଛାତ୍ରୀ ଆଶା ବାରିକ ସର୍ବାଧିକ ୫୭୯ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ଆଶା ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଆତ୍ମବିଶ୍ୱାସ ସହ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ। ସ୍କୁଲ୍‌ ହଷ୍ଟେଲରେ ରହି ଦୈନିକ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲି। ପରୀକ୍ଷାରେ ୯୦% ନମ୍ବର ରହିବ ବୋଲି ଆଶା ରଖିଥିବା ବେଳେ ୯୬% ରହିଛି। ଏହାର ଶ୍ରେୟ ସେ ତାଙ୍କ ମା’, ବାପା, ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଦେଇଛନ୍ତି। ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ ବୋଲି ସେ କହିଛନ୍ତି। ତାଙ୍କ ବାପା ମୁରଲି ବାରିକ ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ମା’ ମୀନା ବାରିକ ଜଣେ ଗୃହିଣୀ। ଝିଅ ସଫଳତାରେ ମା’ବାପା ଗର୍ବିତ ବୋଲି କହିଛନ୍ତି।