ଦୁର୍ଦ୍ଦଶାରେ ସୁବୁଦ୍ଧିପଲି ବାଉଁଶ କାରିଗର

ଧରାକୋଟ,୧୭।୪(ଡି.ଏନ୍‌.ଏ.):ଧରାକୋଟ ବ୍ଲକର ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ସୁବୁଦ୍ଧି ପଲି ଗ୍ରାମରେ ୨୪ ଗୋଟି ମେଦିରି ସମ୍ପ୍ରଦାୟର ପରିବାର ବାସକରନ୍ତି। ସମ୍ବଳ କହିଲେ ବାଉଁଶରେ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ପରିବାର ପ୍ରତି ପୋଷଣ କରିବା। ରାତି ପାହିଲେ ନିକଟସ୍ଥ ସାବା, ପଟାଶାଳ, ଲେଙ୍ଗମା, ଅନ୍ଧାରି ଓ ମଙ୍ଗଳପୁର ଗ୍ରାମର ବ୍ୟକ୍ତିଙ୍କଠାରୁ କଞ୍ଚା ବାଉଁଶ କିଣି ଆଣି ସେଥିରେ କୁଣ୍ଢି, ଗହଣା, ଚିଡି, ଚାଙ୍ଗୁଡି, ଡାଲିଆ, ଗଦା ଓ ଖଡ଼ି କୁଣ୍ଢି ସୁଗୁରା ତିଆରି କରନ୍ତି। ହିଞ୍ଜିଳି, ବ୍ରହ୍ମପୁରର ବେପାରୀମାନେ ଏ ସବୁ ସାମଗ୍ରୀ କିଣି ନେଉଥିବା ବେଳେ ସ୍ଥାନୀୟ ଲୋକେ ଓ ଠିକାଦାର ମଧ୍ୟ ଆବଶ୍ୟକ ପଡିଲେ କିଛି ସାମଗ୍ରୀ କିଣି ନିଅନ୍ତି। ରାସ୍ତା କଡ଼ର ଚାରା ରୋପଣ ପାଇଁ ଜଙ୍ଗଲ ବିଭାଗ ତରଫରୁ ଟେଣ୍ଡର ନେଇଥିବା ଠିକାଦାର ମଧ୍ୟ ଗହଣା କିଣି ନିଅନ୍ତି। ଏସବୁ ସତ୍ତ୍ବେ ମଧ୍ୟ ଅଭାବ ଅନଟନ ମଧ୍ୟରେ ନିଜର ପରିବାର ଚଳାଉଛନ୍ତି ଏଠାରେ ବାସ କରୁଥିବା ମେଦିରି ସଂପ୍ରଦାୟର ଲୋକ । କାରଣ ପରିଶ୍ରମ ଅନୁଯାୟୀ ହାତ ଗଢା ସାମଗ୍ରୀର ଉପଯୁକ୍ତ ମୂଲ୍ୟ ମିଳୁନାହିଁ । ପରିବାର ଚଳାଇବା ପାଇଁ ଏହା ଏକ ମାତ୍ର ମାଧ୍ୟମ ହୋଇଥିବାରୁ ଶାଗ ମାଛ ମୂଲରେ ବେପାରୀଙ୍କୁ ଜିନିଷ ବିକନ୍ତି। ଏମାନେ ସମସ୍ତେ ଭୂମିହୀନ ପରିବାର ହୋଇଥିବାରୁ କୌଣସି ବ୍ୟାଙ୍କ ଏମାନଙ୍କୁ ପାତି ଋଣ ଦେବାପାଇଁ ରାଜି ହେଉନାହାଁନ୍ତି। ବସତି ସ୍ଥାପନ କରିବାର ପ୍ରାୟ ୫୦ ବର୍ଷ ହୋଇଥିଲେ ମଧ୍ୟ ସଚେତନତା ଅଭାବରୁ ସରକାରୀ ଯୋଜନାରୁ ଏମାନେ ବହୁ ଦୂରରେ। ସରକାର ମହିଳା ସଶକ୍ତି କରଣ ସହ ମିଶନ ଶକ୍ତି ମାଧ୍ୟମରେ ଆର୍ଥିକ ବିକାଶର ନାରା ଦେଉଥିବାବେଳେ ତାହା ଏଠି ବାଟବଣା। ନା ସୁବୁଦ୍ଧି ପଲିରେ ଅଛି ସ୍ବୟଂ ସହାୟକ ଗୋଷ୍ଠୀ ନା ମିଶନ ଶକ୍ତିର କାର୍ଯ୍ୟକ୍ରମ । ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପିଲାଏ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ପ୍ରତିବନ୍ଧକ ଯୋଗୁ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଯାଇଥିବା ଗ୍ରାମର ଶର୍ମିଷ୍ଠା ଘଡ଼େଇ,ରଜନୀ ଘଡ଼େଇ,ମୁନା ନାହକ ଅଭିଯୋଗ କରିଛନ୍ତି। ଗାଁରେ ପିଇବା ପାଣି ସମସ୍ୟା ଉତ୍କଟ। ଏକ ମାତ୍ର ନଳକୂପରୁ ଲୋକେ ପାଣି ସଂଗ୍ରହ ସହ ଗାଧୁଆ ପାଧୁଆ କରନ୍ତି । ସୋଲାରର ଏକ ପାଣି ପ୍ରକଳ୍ପ ସ୍ଥାପନ ପାଇଁ ଲୋକେ ଦାବି କରିଛନ୍ତି।