୨୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କର: ହାଇକୋର୍ଟ

କଟକ ଅଫିସ,୬।୭: କୋଭିଡ୍‌ଜନିତ ମୃତ୍ୟୁର ଅଡିଟ୍‌ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ କୋଭିଡ୍‌ ମୃତ୍ୟୁ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରି ନ ଥିଲେ। ଏଥିରେ ହାଇକୋର୍ଟ ଅସନ୍ତାଷ ପ୍ରକାଶ କରିବା ସହ ଆସନ୍ତା ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ସମୟ ସୁଦ୍ଧା ରାଜ୍ୟ ସରକାର ସତ୍ୟପାଠ ଜରିଆରେ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟ ସରକାର ସୋମବାର ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ, କୋଭିଡ୍‌ଜନିତ ମୃତ୍ୟୁର ତଥ୍ୟ ସଂଗ୍ରହ ପାଇଁ ପ୍ରତି ଜିଲାରେ କମିଟି ଗଠନ କରାଯାଇଛି। ଏହି କମିଟି କୋଭିଡ୍‌ ମୃତ୍ୟୁର ଯାଞ୍ଚ କରିବ। ସେହିପରି ଘରକୁ ଘର ବୁଲି ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖିଛନ୍ତି। ଏହା ସମ୍ଭବ ନୁହେଁ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ସଂକ୍ରମଣ ରୋକିବା ପାଇଁ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଥିବା ନେଇ ସରକାର ଅବଗତ କରାଇଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍‌ ମୃତ୍ୟୁର ଅଡିଟ୍‌ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିଶିକାନ୍ତ ମିଶ୍ର ଗତ ୧୮ ତାରିଖରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।