Categories: ଖେଳ

ଡ୍ର ମ୍ୟାଚରେ ଶୁଭ୍ରାଂଶୁଙ୍କ ଶତକ

ଭୁବନେଶ୍ୱର,୨୧।୧(କ୍ରୀଡ଼ା ପ୍ରତିନିଧି): ମିରୁଟରେ ଶୁକ୍ରବାର ଶେଷ ହୋଇଥିବା ଓଡ଼ିଶା-ଉତ୍ତର ପ୍ରଦେଶ ରଣଜୀ ଟ୍ରଫି ମ୍ୟାଚ ଡ୍ର ରହିଛି। ଓଡ଼ିଶା ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଶତକ ହାସଲ କରି ଉଲ୍ଲେଖନୀୟ ସଫଳତା ପାଇଥିବାବେଳେ ଓପନର ଅନୁରାଗ ଷଡ଼ଙ୍ଗୀ ୯୧ ରନର ଇନିଂସ ଖେଳିଛନ୍ତି। ତେବେ ପ୍ରଥମ ଇନିଂସରେ ଅଗ୍ରଣୀ ରହିଥିବାରୁ ଉତ୍ତର ପ୍ରଦେଶ ୩ ପଏଣ୍ଟ ହାସଲ କରିଛି। ଓଡ଼ିଶାକୁ ମାତ୍ର ୧ ପଏଣ୍ଟ ମିଳିଛି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୫୨/୧ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ୪ର୍ଥ ଦିବସ ଖେଳ ଶେଷ ବେଳକୁ ୪ ଉଇକେଟ ହରାଇ ୩୩୫ ରନ ସଂଗ୍ରହ କରିଥିଲା। ଶୁଭ୍ରାଂଶୁ ୧୭୯ ବଲ୍‌ରୁ ୨୦ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୧୪୫ ରନ ସଂଗ୍ରହ କରିଥିଲେ। ୯ ରନପାଇଁ ଶତକରୁ ବଞ୍ଚତ୍ତ ହୋଇଥିବା ଅନୁରାଗ ଷଡ଼ଙ୍ଗୀ ୯୧ ରନର ଇନିଂସ ମଧ୍ୟରେ ୧୦ ଚୌକା ଓ ୨ ଛକା ମାରିଥିଲେ। ଗୋବିନ୍ଦ ପୋଦ୍ଦାର ୫୩ ଓ ରାଜେଶ ଧୂପର ୨୨ ରନରେ ଅପରାଜିତ ରହିଥିଲେ। ଉତ୍ତର ପ୍ରଦେଶ ପକ୍ଷରୁ ସୌରଭ କୁମାର ୨ଟି ଏବଂ ଶିବମ୍‌ ମାଭି ଓ କରନ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ ୨୨୬। ଉତ୍ତର ପ୍ରଦେଶ ପ୍ରଥମ ଇନିଂସ: ୩୬୨। ଓଡ଼ିଶା ଦ୍ୱିତୀୟ ଇନିଂସ: ୩୩୫/୪ (ଶୁଭ୍ରାଂଶୁ ସେନାପତି-୧୪୫, ଅନୁରାଗ ଷଡ଼ଙ୍ଗୀ-୯୧, ଗୋବିନ୍ଦ ପୋଦ୍ଦାର-୫୩*, ସୌରଭ କୁମାର-୨/୯୮, ଶିବମ୍‌ ମାଭି-୧/୧/୫୨, କରନ ଶର୍ମା-୧/୭୩)।

Share