୮ ଦିନର ସଂଘର୍ଷ ପରେ ହାରିଗଲେ ଶୁଭଶ୍ରୀ

ଥୁଆମୂଳ ରାମପୁର, ୨୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଶ୍ରୀମସ୍କା ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ନାବାଳିକାଙ୍କ ଶନିବାର ବିଳମ୍ୱିତ ରାତିରେ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଗତ ୧୮ ତାରିଖରେ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ଶ୍ରୀମସ୍କା (ବଳଭଦ୍ର କଲୋନୀ)ର ବିକ୍ରମ ମାଝୀଙ୍କ ଝିଅ ଶୁଭଶ୍ରୀ (୧୬) ଏବଂ ତାଙ୍କ ପରିବାରର ଅନ୍ୟ ଦୁଇ ସଦସ୍ୟ କେଦାରନାଥ ମାଝୀ ଓ ସୌରଭି ମାଝୀ ବାଇକ୍‌ ଯୋଗେ ଗ୍ରାମରୁ ମୁଖ୍ୟ ରାସ୍ତାକୁ ଆସୁଥିଲେ।

ଏହି ସମୟରେ ଥୁଆମୂଳ ରାମପୁର ପଟୁ ଆସୁଥିବା ଏକ ୧୦ ଚକିଆ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ଶୁଭଶ୍ରୀ ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଓ ପରେ ସମ୍ୱଲପୁର ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବରଗଡ଼ ବିକାଶ ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ଶ୍ରୀମସ୍କା ଛକଠାରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଥୁଆମୂଳ ରାମପୁର ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ସହ ବାଇକ୍‌ ଓ ହାଇୱା ଜବତ କରି ତଦନ୍ତ ଜାରି ରଖିଛି।

Share