୧୧ ସପ୍ତାହରେ ୨ ବହି ପ୍ରକାଶ କରି ବିଶ୍ୱ ରେକର୍ଡ ହାସଲ କଲେ ଶୁଭସ୍ମିତା

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ଯୁବ ଲେଖିକା ତଥା ଚିତ୍ରଶିଳ୍ପୀ ଶୁଭସ୍ମିତା ପଣ୍ଡା। ମାତ୍ର ୧୧ ସପ୍ତାହ ମଧ୍ୟରେ ଦୁଇଟି ଇଂରାଜୀ କାଳ୍ପନିକ ବହି ପ୍ରକାଶ କରିବାର ସଫଳତା ପାଇଁ ସେ ‘ଏକ୍ସକ୍ଲୁସିଭ ଓ୍ବାଲର୍‌ଡ ରେକର୍ଡ’ରେ ସ୍ଥାନ ହାସଲ କରିଛନ୍ତି।

ଶୁଭସ୍ମିତାଙ୍କ ପ୍ରଥମ ଦୁଇଟି ବହି ‘କ୍ରୋନିକଲ ଚାଇମ୍ସ ଏବଂ ଏମ୍ବ୍ରେସ ଅଫ୍‌ ଥଟ୍‌’ ଚେନ୍ନାଇସ୍ଥିତ ‘ନୋସନ ପ୍ରେସ’ ମାଧ୍ୟମରେ ପ୍ରକାଶିତ ହୋଇଛି। ଏହି ଦୁଇଟି ବହି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପାଠକଙ୍କ ନିକଟରେ ପହଞ୍ଚିପାରିଛି। ଏହା ପରେ ସେ ‘ଗଡ୍ସ ଅନ୍‌ସ୍ପୋକନ’ ନାମକ ତୃତୀୟ ଇଂରାଜୀ ବହି ମଧ୍ୟ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମାତ୍ର ୧୧ ସପ୍ତାହ ମଧ୍ୟରେ ଦୁଇଟି ଇଂରାଜୀ କାଳ୍ପନିକ ବହି ପ୍ରକାଶ କରିବାର ସଫଳତା ପାଇଁ ଶୁଭସ୍ମିତା ଏହା ପୂର୍ବରୁ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ-୨୦୨୫’ରୁ ସ୍ବୀକୃତି ହାସଲ କରିଥିଲେ। ଏଥିସହ ‘ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସ-୨୦୨୬’ରୁ ମଧ୍ୟ ସେ ସ୍ବୀକୃତି ପାଇଛନ୍ତି। ଏବେ ‘ଏକ୍ସକ୍ଲୁସିଭ ଓ୍ବାଲର୍‌ଡ ରେକର୍ଡ’ରେ ସ୍ଥାନ ପାଇବା ତାଙ୍କ ସଫଳତାର ଯାତ୍ରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।

ସାହିତ୍ୟ କ୍ଷେତ୍ର ସହିତ ଚିତ୍ରକଳାରେ ମଧ୍ୟ ଶୁଭସ୍ମିତାଙ୍କର ଉଲ୍ଲେଖନୀୟ ସଫଳତା ରହିଛି। ଚିତ୍ରକଳା ପାଇଁ ସେ ତିନୋଟି ଜାତୀୟସ୍ତରୀୟ ସ୍ବର୍ଣ୍ଣପଦକ ସହ ଗୋଟିଏ ଅନ୍ତର୍ଜାତୀୟ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।

ବର୍ତ୍ତମାନ ଶୁଭସ୍ମିତା ବ୍ରହ୍ମପୁରସ୍ଥିତ ପରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ପାଠପଢ଼ା ସହିତ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ନିଜର ପ୍ରତିଭାକୁ ଆଗେଇ ନେଇ ଚାଲିଥିବା ଶୁଭସ୍ମିତାଙ୍କ ଏହି ସଫଳତା ତାଙ୍କ ପରିବାର ସମେତ ଛତ୍ରପୁର ଓ ସମଗ୍ର ଗଞ୍ଜାମ ଜିଲା ପାଇଁ ଗର୍ବର ବିଷୟ ହୋଇଛି।

Dharitri – Odisha’s No.1 Odia Daily

Share