Categories: ଜାତୀୟ

‘ସୁଭାଷ ବୋଷଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟୁ’

ନୂଆଦିଲ୍ଲୀ,୨୪।୧ (ପି.ଟି.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅନ୍ତର୍ଦ୍ଧାନ ଏବେ ଲୋକପ୍ରିୟ ଲୋକକଥାର ଅଂଶବିଶେଷ ହୋଇଗଲାଣି। ନେତାଜୀଙ୍କ ପ୍ରତିମୂର୍ତ୍ତି ନୁହେଁ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଯିବା ତାଙ୍କ ପରିବାର ଓ ତାଙ୍କ ଜୀବନୀ ଉପରେ ଗବେଷଣା ଚଳାଇଥିବା ଲୋକେ ଚାହାନ୍ତି। ତାଙ୍କ ସମାବେଶିତା ଓ ଧର୍ମନିରପେକ୍ଷତା ନୀତିକୁ ଅନୁସରଣ କରିବା ଏବଂ ତାଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟାଇବା ତାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ବୋଲି ସେମାନେ ମତ ଦେଇଛନ୍ତି। ନେତାଜୀଙ୍କ ପ୍ରତି ଭାରତ ଋଣୀ। ଏହାର ପ୍ରତୀକ ସ୍ବରୂପ ଇଣ୍ଡିଆ ଗେଟ୍‌ରେ ତାଙ୍କର ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନେତାଜୀଙ୍କ ଝିଅ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅନୀତା ବୋଷ-ଫାପ୍‌ କହିଛନ୍ତି, ‘ମୋ ବାପା ସେହି ଭାରତର ସ୍ବପ୍ନ ଦେଖିଥିଲେ, ଯେଉଁଠି ସବୁ ଧର୍ମର ଲୋକେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରୁଥିବେ। କେବଳ ପ୍ରତିମୂର୍ତ୍ତି ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ନୁହେଁ ବୋଲି ଅନୀତା କହିଛନ୍ତି। ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନୀତି ଆଦର୍ଶକୁ ସରକାର ଦେଶରେ କାର୍ଯ୍ୟକାରୀ କରିବାକୁ ନେତାଜୀଙ୍କ ନାତି ଚନ୍ଦ୍ରକୁମାର ବୋଷ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ୭୦ ବର୍ଷ ପୂର୍ବରୁ ନେତାଜୀଙ୍କ ଦେହାନ୍ତ ହୋଇଥିବା ବିଶ୍ୱାସ କରାଯାଉଥିବାବେଳେ ପ୍ରକୃତରେ ସେ କେଉଁଠି, କିପରି ଓ କେତେବେଳେ ପ୍ରାଣ ହରାଇଲେ, ତାହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ। ୧୯୪୫ରେ ନେତାଜୀ ଅନ୍ତର୍ଦ୍ଧାନ ହେବା ସମୟର ଦସ୍ତାବିଜ୍‌କୁ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଟିଏମ୍‌ସି ଦାବି କରିଛି। ଏଥିସହିତ ଜାପାନର ଏକ ମନ୍ଦିରରେ ସଂରକ୍ଷିତ ରଖାଯାଇଥିବା ଚିତାଭସ୍ମକୁ ଡିଏନ୍‌ଏ ପରୀକ୍ଷା ପାଇଁ ପଠାଇବାକୁ ଏହି ଦଳ କହିଛି।

Share