ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ ୩ ଦିନରେ ସର୍ବାଧିକ ୨୨୧.୭ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଥିବା ବେଳେ ବୁଧବାର ୧୨୨.୨ମିମି ବର୍ଷା ହୋଇଛି। ଅନବରତ ବର୍ଷା ଯୋଗୁ ଭୋଗରାଇର ୩୪୨ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମ ପାଣି ଘେରରେ ରହିଛି। ବହୁ କଚା ମାଟିଘର ଭାଙ୍ଗିରୁଜି ଯାଇଥିବା ଖବର ମିଳିଛି। ଗ୍ରାମାଞ୍ଚଳର ଅନେକ ରାସ୍ତା ବର୍ଷା ପାଣିରେ ବୁଡ଼ିଯାଇ ଜୀବନଯାତ୍ରା ବ୍ୟାହତ ହୋଇଛି। ଅପରପକ୍ଷରେ ସୁବର୍ଣ୍ଣରେଖା ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ହେବାରୁ ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି। ସୁବର୍ଣ୍ଣରେଖାକୁ ସଂଯୋଗ କରୁଥିବା ଚାନ୍ଦିଲି ଡ୍ୟାମ୍‌ର ୫, ଗାଲୁଡିହିର ୬ ଓ ବାଙ୍କବଲ ଜଳାଧାରରୁ ଗୋଟିଏ ଗେଟ୍‌ରୁ ଉଦ୍‌ବୃତ୍ତ ବର୍ଷା ପାଣି ସୁବର୍ଣ୍ଣରେଖାକୁ ଛଡ଼ା ଯାଇଥିବା ସିଡବ୍ଲ୍ୟୁସି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖବର ଲେଖା ହେବା ବେଳକୁ ସୁବର୍ଣ୍ଣରେଖା ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଇ ସତର୍କ ସ୍ତର ୯.୪୫ ମିଟରରେ ପ୍ରବାହିତ ହେଉଥିଲା। ଜଳେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ମିମି ବର୍ଷା ହୋଇଥିବାରୁ ବିଭିନ୍ନ ପଞ୍ଚାୟତର ଗାଁ ଗୁଡ଼ିକ ପାଣି ଘେରରେ ରହିଛି। ବୁଧବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୭୦ ମିମି ବର୍ଷା ହୋଇଥିବାର ସରକାରୀଭାବେ କୁହାଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀର ମୁରି, ଆଦିତ୍ୟପୁର, ଜାମସେଦପୁର, କରକାଇ, ଚନ୍ଦିଲି, ଘାଟଶିଳା, ଫେକଘାଟ, ଜାମଶୋଳାଘାଟ, ଗୋପିବଲ୍ଲଭପୁର ଓ ରାଜଘାଟ ଉପତ୍ୟାକାରେ ଗତ ୪ ଦିନ ମଧ୍ୟରେ ୯୯୦ ମିମି ବର୍ଷା ହୋଇଥିବାରୁ ନଦୀର ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି। ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବାଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଘୁଚାପ ଜନିତ ବର୍ଷାରେ ବାଲିଆପାଳ, କୁଦ ମାନସିଂହ, ସୁଙ୍ଗମୂହଁ, ନୟାବାଲି, ବିଷ୍ଣୁପୁର, ରାଉତୁରାପୁର, ଇକଡପାଲ୍‌, କୁହ୍ଲାଚଡ଼, ତାଳପଦା, ଜାମକୁଣ୍ଡା, ପଞ୍ଚରୁଖି, ଚରବସ୍ତକାଲରୁଇ, ଚୌଧୁରୀକୁଦ ଆଦି ତଳିଆ ଅଞ୍ଚଳରେ ଶହ ଶହ ଏକର ଚାଷ ଜମି ଜଳ ନଗ୍ନ ହୋଇଯାଇଛି।