ମୁକୁଳା ନଦୀବନ୍ଧ, ତଳିଆ ଅଞ୍ଚଳ ଜଳମଗ୍ନ

ବାଲିଆପାଳ, ୭।୧୦(ଗୋପାଳ ଚନ୍ଦ୍ର ସାହୁ): ଗୁରୁବାରଠାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟାଜଳ ରାଜଘାଟଠାରେ ସନ୍ଧ୍ୟା ସୁଦ୍ଧା ବିପଦସଂକେତଠାରୁ ବହୁ ତଳେ ଅର୍ଥାତ ୯.୩୫ ମିଟରରେ ରହିଛି। ମାତ୍ର ମୁକୁଳା ନଦୀବନ୍ଧ ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ ଯଦି ଝାଡ଼ଖଣ୍ଡ ଗାଲୁଡ଼ିହି ଡ୍ୟାମ୍‌ ଏହିପରି ବାରମ୍ବାର ଗେଟ୍‌ ଖୋଲି ପାଣି ଛାଡ଼ିବ ତେବେ ଅଧିକ ଦିନ ପାଣି ବୁଡ଼ି ରହିଲେ ବାଲିଆପାଳ ବ୍ଲକର ବହୁ ଅଞ୍ଚଳରେ ଧାନ ଫସଲ ସହ ସମସ୍ତ ପନିପରିବା ପଚି ନଷ୍ଟ ହେବାର ଆଶଙ୍କା କରାଯାଇଛି।
କିଛି ଦିନ ହେବ ଲଗାତାର ଭାବରେ ବର୍ଷା ପରେ ଝାଡ଼ଖଣ୍ଡର ଗାଲୁଡ଼ିହି ଡ୍ୟାମ୍‌ ପାଣି ଛାଡ଼ିଦେବା ଫଳରେ ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳ ବିଷ୍ଣୁପୁର, ନୟାବାଲି, ଇକଡ଼ପାଳ, ରସଲପୁର, ରାଉତ୍ରାପୁର, ଜାମକୁଣ୍ଡା ପଞ୍ଚାୟତର ତାଳପଦା, କୁହ୍ଲାଚଡ଼, ଲଖପାଳ, ପାଳଜାମକୁଣ୍ଡା, କାଳରୁଇ ଓ ବାଲିଆପାଳ ପଞ୍ଚାୟତର ତଳବାଲିଆପାଳ, ସୁଙ୍ଗମୁହଁ, କୁଦମାନସିଂହ, ଆଠବାଟିଆ ମଧୁପୁରା ପଞ୍ଚାୟତର ଚଡ଼ବସ୍ତ କାଳରୁଇ, ଚୌଧୁରୀକୁଦ ସେହିପରି ଅସ୍ତି ପଞ୍ଚାୟତ ପାଳଚମ୍ପେଇ ଶରଧାରସାହି, ଚଡ଼ବଢ଼ାପାଳ, ସୁର୍ଯାପୁର, କଣ୍ଟାବଣି ଆଦି ଗ୍ରାମଗୁଡ଼ିକରେ ବନ୍ୟା ପାଣି ପଶିଛି। ବାଲିଆପାଳ ବିଷ୍ଣୁପୁର ରାସ୍ତାର ତଳବାଲିଆପାଳଠାରେ ଚଟାଣରେ ୩ ଫୁଟ ଉପରେ ବନ୍ୟା ପାଣି ଚାଲିଛି। ସେହିପରି ପଞ୍ଚରୁଖିଠାରୁ ଚୌଧୁରୀକୁଦ ଗ୍ରାମକୁ ଯାଇ ଥିବା ରାସ୍ତା ଉପରେ ୨/୩ ଫୁଟ୍‌ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଉଭୟ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଏଠାରେ ୨୦୧୫ ମସିହା ବନ୍ୟାରେ ଏହି ରାସ୍ତାରେ ଚୌଧୁରୀକୁଦ ଗ୍ରାମର ୨ଜଣ ଯୁବକ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିଲେ। ବନ୍ୟା ପରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏହି ଗ୍ରାମକୁ ଆସି ଏଠାରେ ଏକ ବିଜୁ ସେତୁ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୮ବର୍ଷ ପରେ ବି ବିଜୁ ସେତୁ ସ୍ବପ୍ନରେ ରହିଗଲା। ଲୋକମାନେ ପୂର୍ବପରି ପାଣିରେ ପଶି ଯା’ଆସ କରୁଛନ୍ତି। ଲୋକଙ୍କ ସମସ୍ୟା ବଦଳିଲା ନାହିଁ। ଏବେ ସୁବର୍ଣ୍ଣରେଖା ନଦୀବନ୍ଧ ସବୁଠି ମୁକୁଳା ଥିବାରୁ ନଦୀକୁ ବନ୍ୟା ପାଣି ଆସିବା ମାତ୍ରେ ନଦୀ କୁଳିଆ ଗ୍ରାମ ଗୁଡ଼ିକରେ ପାଣି ପଶିଛି। ତେବେ ଯଦି ବନ୍ୟା ପାଣି ଅଧିକ ଆସେ ପ୍ରଶାସନ ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି।