ଅନାଲୋଚିତ ଅବସ୍ଥାରେ ସୁବର୍ଣ୍ଣମଞ୍ଜରୀ

ବାରିପଦା, ୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ୧୧୧୫ ଫୁଟର ଜଳପ୍ରପାତର ସନ୍ଧାନ ମିଳିଛି। ଏହା ଦୃଷ୍ଟି ଆଢୁଆଳରେ ରହିଯାଇଥିବା ବେଳେ ମୟୂରଭଞ୍ଜ ମିରର ସଙ୍ଗଠନର ସଦସ୍ୟମାନେ ଏହି ଜଳପ୍ରପାତକୁ ଠାବ କରି ଲୋକଲୋଚନକୁ ଆଣିପାରିଛନ୍ତି। ଶିମିଳିପାଳ ଜାତୀୟ ଉଦ୍ୟାନର ବାସିପିଠା ନିକଟସ୍ଥ ସୁବର୍ଣ୍ଣମଞ୍ଜରୀଠାରୁ ପ୍ରାୟ ୫କି.ମି. ଗଭୀର ଜଙ୍ଗଲ ମଧ୍ୟରେ ଏହି ସୁବର୍ଣ୍ଣମଞ୍ଜରୀ ନାମକ ଜଳପ୍ରପାତ ରହିଛି। ଏହା ଦେଖିବାକୁ ଅତୀବ ସୁନ୍ଦର ଓ ମନଲୋଭା ହୋଇଥିବା ବେଳେ ଅନାଲୋଚିତ ଅବସ୍ଥାରେ ରହିଯାଇଛି।
ଯେ, ୨୭୫୦ ବର୍ଗଫୁଟ୍‌ ପରିମିତ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅନେକ ଅନାବିଷ୍କୃତ ଦର୍ଶନୀୟ ସ୍ଥାନ ରହିଛି। ଏଗୁଡ଼ିକର ଠାବ କରିବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଜିଲାର ଚର୍ଚ୍ଚିତ ସଙ୍ଗଠନ ମୟୂରଭଞ୍ଜ ମିରର ସର୍ବଦା କାର୍ଯ୍ୟ କରିଆସୁଛି। ସଙ୍ଗଠନର ସଦସ୍ୟମାନେ ଶିମିଳିପାଳ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲ ମଧ୍ୟରେ ଅନୁଧ୍ୟାନ କରି ୧୧୧୫ ଫୁଟ୍‌ର ଜଳପ୍ରପାତକୁ ଠାବ କରିଥିଲେ। ୧୮କି.ମି. ଦୁଃସାହସିକ ଯାତ୍ରାର ଅଙ୍କାବଙ୍କା ରାସ୍ତାରେ ମୋଟ ୮.୫ କି.ମି. ପାହାଡ଼ ଚଢ଼ି ଜଳପ୍ରପାତର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ ଏହାର ଆବିଷ୍କାର କରିଥିଲେ। ଜଳପ୍ରପାତଟି ୬ଟି ସ୍ତର ଦେଇ ପ୍ରବାହିତ ହେଉଥିବା ବେଳେ ୪ଟି ସ୍ତର ଦୃଶ୍ୟମାନ ହୋଇଛି। ଅନ୍ୟ ୨ସ୍ତର ବୃକ୍ଷଲତାର ସବୁଜ ଆବରଣ ଦେଇ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି। ତେବେ ଜଳପ୍ରପାତର ଆବିଷ୍କାର କରିବା ପରେ ଆଖପାଖ ଅଞ୍ଚଳ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଯାତ୍ରାରେ କୁମାରେଶ ନାୟକ, ଜୟପ୍ରକାଶ ସିଂହ, ସନତ ବାରିକ, ରଞ୍ଜିତ ପଲେଇ, ଲୋକେଶ୍ୱର ଭଞ୍ଜ, ବିଶ୍ୱଜିତ୍‌ ମାରାଣ୍ଡି ଓ ସୁବର୍ଣ୍ଣମଞ୍ଜରୀ ଗ୍ରାମର କୈଳାସ ସିଂ ପ୍ରମୁଖ ସାମିଲ ଥିଲେ। ଗମନାଗମନ ସହିତ ପର୍ଯ୍ୟଟନସ୍ଥଳର ବିକାଶ କରାଗଲେ ଅନେକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇପାରନ୍ତା ବୋଲି ପ୍ରକାଶ କରିଛନ୍ତି।