ଅର୍ଥ ସାଜିଛି ପ୍ରତିବନ୍ଧକ, ପାର୍ବତୀଙ୍କ ପାଠପଢ଼ା ଅଧାରୁ ବନ୍ଦ

ବୈପାରିଗୁଡ଼ା,୧୬ା୯(ଡି.ଏନ୍‌.ଏ.): ଆଦିବାସୀ ଝିଅ ପାର୍ବତୀ ପୂଜାରୀ (୧୦)। ଘର ବୈପାରିଗୁଡ଼ା ବ୍ଲକ ମାଠପଡ଼ା ପଞ୍ଚାୟତର ବାଣୁଆଗୁଡ଼ା ଗ୍ରାମରେ । ଚଳିତ ବର୍ଷ ମାଠପଡ଼ା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସହାୟତା ନ ମିଳିବାରୁ ତାଙ୍କ ପାଠପଢ଼ାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିବାକୁ ଲକ୍ଷ୍ୟ ରଖିଥିବା ପାର୍ବତୀ ଏନେଇ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି।
ପାର୍ବତୀଙ୍କ ବୟସ ଯେତେବେଳେ ମାତ୍ର ବର୍ଷେ ହୋଇଥିଲା ମା’ ପରକରି ଅନ୍ୟତ୍ର ଘର ସଂସାର କରିବାକୁ ଚାଲିଗଲେ। ୨ ବର୍ଷ ପରେ ବାପା ତ୍ରିନାଥ ପୂଜାରୀ ମଧ୍ୟ ଆଖି ବୁଜିଲେ । ଏବେ ଜେଜେବାପା ଡମ୍ବରୁ ପୂଜାରୀ ଏବଂ ଜେଜେମା ମଣିମା ପୂଜାରୀଙ୍କ ପାଖରେ ପାର୍ବତୀ ଅଛନ୍ତି। ଜେଜେ ମା’ ପକ୍ଷାଘାତ ରୋଗରେ ପୀଡ଼ିତ ା ମୂଲ ମଜୁରି ଲାଗୁଥିବା ଏହି ବୃଦ୍ଧ ଦମ୍ପତି ଆଉ ଖଟିପାରୁ ନାହାନ୍ତି। ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଉଭୟେ ଯାହା ପାଉଛନ୍ତି ସେତିକିରେ ପରିବାର ଚଳେଇବା କଷ୍ଟକର ହୋଇପଡୁଛି । ପାର୍ବତୀ ପଞ୍ଚମ ଶ୍ରେଣୀ ପାସ୍‌ କରିବା ପରେ ତାଙ୍କର ଅଧିକ ପଢ଼ିବାକୁ ଆଗ୍ରହ ରହିଛି। ମାତ୍ର କେଉଁଠାରୁ ସହାୟତା ମିଳୁ ନ ଥିବାରୁ ତାଙ୍କ ପାଠପଢ଼ା ଅଟକିଛି। ନାତୁଣୀର ପାଠପଢ଼ାରେ ଆଗ୍ରହ ଦେଖି ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ ବିଭାଗର ବାଳିବା ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଜେଜେ ଓ ଜେଜେ ମା’ ଅନୁରୋଧ କରିଛନ୍ତି। ମାତ୍ର ସେଠାରେ ସିଟ୍‌ ନ ଥିବା ପ୍ରଧାନ ଶିକ୍ଷକ କହୁଛନ୍ତି। ଆଦିବାସୀଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ପାର୍ବତୀଙ୍କ ପରି ମାଆବାପା ଛେଉଣ୍ଡି ଝିଅ ଶିକ୍ଷାରୁ ବଞ୍ଚତ୍ତ ହେବା ସାଧାରଣରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଜ୍ଞାନ ରଞ୍ଜନ ଜାଲିଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି।