Categories: ଜାତୀୟ

ଆର୍‌ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକ କଟାଗଲା…

ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍‌ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ ମଧ୍ୟ କାଢ଼ି ନିଆଯାଇଛି।

ଏନେଇ କେତେକ ଅଭିଭାବକ ସୁରକ୍ଷାକର୍ମୀଙ୍କ ସହିତ ପାଟିତୁଣ୍ଡ ମଧ୍ୟ କରିଥିବା କୁହାଯାଉଛି। କେତେକ କେନ୍ଦ୍ର ବାହାରେ ପରୀକ୍ଷାର୍ଥୀଙ୍କୁ ଚପଲ ଏବଂ ଜୋତା ବାହାର କରିବାକୁ କୁହାଯାଇଛି। ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ପରୀକ୍ଷା କେନ୍ଦ୍ର ବାହାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ପରୀକ୍ଷା ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବାକୁ ଥିବାବେଳେ ୯ଟା ୪୫ରେ କେନ୍ଦ୍ରରେ ପହଞ୍ଚିଥିବା ଆଶାୟୀଙ୍କୁ ପ୍ରବେଶ ଅନୁମତି ମିଳି ନାହିଁ। ଫଳରେ କେତେକ ଆଶାୟୀ ନିରାଶ ହୋଇଛନ୍ତି।

ସିକର ଜିଲାର ୨୩୨ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେଉଛି। ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷା ପରିଚାଳନା ଉପରେ ସିସିଟିଭି ଦ୍ୱାରା କଡ଼ା ନଜର ରଖାଯାଇଛି। ପରୀକ୍ଷା ପାଇଁ ରବିବାର ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

Share