ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର ଆହତ ହୋଇଛନ୍ତି। ୨ ଛାତ୍ର ବୁଲୁ ଖିଲ(୭) ଓ ଆୟୁଷ ଖିଲ(୮)ଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି।
ଆହତ ଛାତ୍ରଙ୍କ ଅଭିଭାବକ ନୀଳ ଖିଲ ଓ ପୂର୍ଣ୍ଣ ଖିଲଙ୍କ ସୂଚନା ମୁତାବକ ୨ ଛାତ୍ର ବିଦ୍ୟାଳୟ ପ୍ରବେଶ ଫାଟକ ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ଦୁର୍ବଳ ସ୍ଥିତିରେ ଥିବା ଏହି ଲୁହା ଫାଟକ ଓ ସିମେଣ୍ଟ ପାଚେରି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଥିଲା।
ଗ୍ରାମବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହାୟତାରେ ୨ ଛାତ୍ରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପରେ ବୁଲୁଙ୍କ ହାତ ଭାଙ୍ଗିଥିବା ଓ ଆୟୁଷଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଜଣାପଡିଛି। ପ୍ରାଥମିକ ଚିକିତ୍ସା ପରେ ୨ ଛାତ୍ର ସୁସ୍ଥ ଥିବା ସୂଚନା ମିଳିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି।
ଶିକ୍ଷା ଅଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ କ୍ଷେତ୍ର ସିଆର୍ସିଙ୍କୁ ବିଦ୍ୟାଳୟ ପରିଦର୍ଶନକରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଅପରାହ୍ନରେ ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ବ୍ଲକ୍ ଶିକ୍ଷାଧିକାରୀ ପଟ୍ଟନାୟକ ସ୍କୁଲ ପରିଦର୍ଶନ କରିଥିଲେ। ୨ ଛାତ୍ରଙ୍କ ସ୍ବାସ୍ଥ୍ୟ ସ୍ଥିତି ଅନୁଧ୍ୟାନ କରି ସେମାନଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।