କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଅଜିତ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାଇବର ଅପରାଧ ଏବଂ ଏହାର ପ୍ରତିକାର ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା।
ବର୍ତ୍ତମାନର ଡିଜିଟାଲ ଯୁଗରେ ଅନଲାଇନ ଶିକ୍ଷା, ମୋବାଇଲ ଆପ୍ ଏବଂ ସୋସିଆଲ ମିଡିଆ ଦୈନନ୍ଦିନ ଜୀବନର ମୁଖ୍ୟ ଅଂଶ ପାଲଟିଥିବାରୁ ଏହାର ସୁରକ୍ଷିତ ବ୍ୟବହାର ଅତ୍ୟନ୍ତ ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ଏହି ଅବସରରେ ସାଇବର ବୁଲିଂ ଅନ୍ଲାଇନ ଆର୍ଥିକ ଠକେଇ, ସାର୍ବଜନୀନ ଓ୍ବାଇ-ଫାଇ ବ୍ୟବହାର ବେଳେ ସତର୍କତା, ସୋସିଆଲ ମିଡିଆ ସୁରକ୍ଷା ତଥା ନିଜର ଓଟିପି ଏବଂ ପିନ୍ର ଗୋପନୀୟତା ରକ୍ଷା କରିବା ଉପରେ ଛାତ୍ରୀଛାତ୍ରଙ୍କୁ ବୁଝାଯାଇଥିଲା। ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖି ପରିଚୟ ଚୋରି ଏବଂ ମାନସିକ ଚାପରୁ ମୁକ୍ତ ରହି ପାଠପଢ଼ାରେ ମନୋନିବେଶ କରିବାକୁ ପରାମର୍ଶ ଦିଆଯାଇଥିଲା। ସଚେତନତା ହିଁ ସାଇବର ଠକେଇରୁ ବର୍ତ୍ତିବାର ଏକମାତ୍ର ଉପାୟ ବୋଲି ଥାନା ଅଧିକାରୀ ଅଜିତ ପରିଡ଼ା ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି, ଶିକ୍ଷୟିତ୍ରୀ/ ଶିକ୍ଷକ ତଥା ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।