ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲାର ବ୍ରାହ୍ମଣୀଗାଁସ୍ଥିତ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ସଭାପତି ପଦବୀରେ ୫ ଜଣ, ଉପସଭାପତି ପଦବୀରେ ଜଣେ, ସାଧାରଣ ସମ୍ପାଦକ ପଦବୀରେ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦବୀରେ ୨ ଜଣ, ନାଟ୍ୟ ସମ୍ପାଦକ ପଦବୀରେ ୨ ଜଣ ଏବଂ ଛାତ୍ର କମନ୍ରୁମ୍ ସମ୍ପାଦକ ପଦବୀରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହିପରି ମୋଟ ୧୬ ଜଣ ଛାତ୍ରଛାତ୍ରୀ ନାମାଙ୍କନ କରିଥିଲେ।
ପ୍ରାର୍ଥିପତ୍ର ଯାଞ୍ଚ ପରେ ୪ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୨ ଜଣଙ୍କ ପ୍ରାର୍ଥିପତ୍ର ବୈଧ ଘୋଷଣା କରାଯାଇଛି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ଚରଣ ନାୟକ ସୂଚନା ଦେଇଛନ୍ତି।
ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୭ ତାରିଖରେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୯ ତାରିଖରେ ନାମାଙ୍କନପତ୍ର ଦାଖଲ ହୋଇଥିଲା। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭୋଟ୍ ଗ୍ରହଣ ସହ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ ତାରିଖରେ ବିଜୟୀ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।