ପରିବେଶର ସୁରକ୍ଷା ନେଇ ଶପଥ ନେଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୨।୪(ଡି.ଏନ୍‌.ଏ.): ଆଜି ଧରିତ୍ରୀ ଦିବସ। ଏହି ଦିବସକୁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ଏକାଠି ହୋଇ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପରିବେଶ ଅତ୍ୟନ୍ତ ସୁନ୍ଦର। ହେଲେ ପ୍ରାକୃତିକ ସମ୍ପଦରେ ଭରପୁର ରହିଥିବା ଦାରିଙ୍ଗବାଡିରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ବେଳେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପରିବେଶକୁ ଦୂଷିତ କରିବାରେ ଲାଗିଛି। ସରକାରୀ ଓ ବେସରକାରୀସ୍ତରରେ ପରିବେଶକୁ ସୁସ୍ଥ ରଖିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷ ଜନକ ହୋଇପାରୁ ନାହିଁ। ଫଳରେ ଅଞ୍ଚଳରେ ପୂର୍ବ ଭଳି ଶୀତ ସହ ବର୍ଷାର ଅନିୟମିତତା ଦେଖାଯାଉଛି। ଯାହାକି ପରିବେଶବିତ୍‌ଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି।

ଏନେଇ ଅଞ୍ଚଳବାସୀ ମଧ୍ୟ ଚିନ୍ତା କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି କୁନିକୁନି ଛାତ୍ରୀଛାତ୍ର। ପରିବେଶକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଛାତ୍ରୀଛାତ୍ର । ଧରିତ୍ରୀ ଦିବସ ଅବସରରେ ଦାରିଙ୍ଗବାଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡ଼ିଆ ସମେତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲି ପ୍ଲାଷ୍ଟିକ, ପଲିଥିନ, ଖାଲି ବୋତଲକୁ ଉଠାଇ ଡଷ୍ଟବିନରେ ପକାଇଥିଲେ। ଏପରିକି ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ। ନିକଟସ୍ଥ ଜଙ୍ଗଲ ଓ ପରିବେଶ ବିଭାଗର ଚାରା ଉତ୍ପାଦନ କେନ୍ଦ୍ରରୁ ବିଭିନ୍ନ ଗଛ ଆଣି ରୋପଣ କରିଥିଲେ। ଛାତ୍ରୀଛାତ୍ରମାନେ ପରିବେଶର ସୁରକ୍ଷା ଏବଂ ଏହାର ସଚେତନ କରିବାକୁ ଶପଥ ନେଇଥିଲେ। ଖରାଛୁଟି ସତ୍ତ୍ୱେ ଛାତ୍ରୀଛାତ୍ରଙ୍କ ପରିବେଶ ସୁରକ୍ଷା ପ୍ରତି ବଢୁଥିବା ଆଗ୍ରହକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।