ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷଣ ପରିବେଶ

ଡ. ମନୋରଞ୍ଜନ ପ୍ରଧାନ

ବିଶିଷ୍ଟ ଆମେରିକୀୟ ଶିକ୍ଷାବିିତ୍‌ ଜନ୍‌ ଡୁଇଙ୍କ ମତରେ ଶିକ୍ଷା ଏକ ତ୍ରିପାକ୍ଷିକ ପ୍ରକ୍ରିୟା, ଯାହାର ତିନିଟି ପକ୍ଷ ବା ସ୍ତମ୍ଭ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ ଓ ପରିବେଶ ତଥା ସମାଜ। ଶିକ୍ଷକ ଓ ଶିକ୍ଷାର୍ଥୀ ହେଉଛନ୍ତି ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟାର ଦୁଇ ମୁଖ୍ୟ ସ୍ତମ୍ଭ। ଉଭୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା-ପର୍ଯ୍ୟାଲୋଚନା,ଭାବର ଆଦାନ ପ୍ରଦାନ, ପ୍ରଶ୍ନୋତ୍ତର, ସମସ୍ୟା ସମାଧାନ ଆଦି ଶୈକ୍ଷିକ କାର୍ଯ୍ୟ ଯୋଗୁ ଶିକ୍ଷଣ ସମ୍ଭବ ହୋଇଥାଏ। କିନ୍ତୁ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ସଫଳ କରିବାକୁ ହେଲେ ତୃତୀୟ ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ସ୍ବରୂପ ଉତ୍ତମ ବାତାବରଣ ତଥା ଅନୁକୂଳ ଶିକ୍ଷଣ ପରିବେଶ ନିତାନ୍ତ ଆବଶ୍ୟକ। ଭଲ ପରିବେଶ, ଉପଯୁକ୍ତ ଶିକ୍ଷଣ ପରିସ୍ଥିତି ଓ ଆବଶ୍ୟକ ଶିକ୍ଷଣ ସମ୍ବଳ ବିନା ସଫଳ ତଥା ଅର୍ଥପୂର୍ଣ୍ଣ ଶିକ୍ଷଣ ସମ୍ଭବ ହୋଇପାରିବ ନାହିଁ। ଅର୍ଥାତ୍‌ ଶିକ୍ଷାଦାନକୁ ଶିକ୍ଷଣରେ ପରିଣତ କରିବାକୁ ହେଲେ ଅନୁକୂଳ ଶିକ୍ଷଣ ପରିବେଶ ଏବଂ ଶିକ୍ଷକଙ୍କ ଉପଯୁକ୍ତ ସହାୟତା, ମାର୍ଗଦର୍ଶନ ତଥା ସମୟ, ପରିସ୍ଥିତି ଓ ଶିକ୍ଷାର୍ଥୀଙ୍କ ସାମର୍ଥ୍ୟ ଅନୁଯାୟୀ ନ୍ୟସ୍ତ କାର୍ଯ୍ୟ ପ୍ରଦାନ କରାଯିବା ଉଚିତ। କାରଣ ଶିକ୍ଷଣ ପ୍ରକ୍ରିୟାରେ ଶିଖେଇବା ଅପେକ୍ଷା ଶିଖିବା, ପଢ଼େଇବା ପରିବର୍ତ୍ତେ ପଢ଼ିବା, କରେଇବା ପରିବର୍ତ୍ତେ କରିବା ଆଦି କାର୍ଯ୍ୟ ଶିକ୍ଷାର୍ଥୀ ଦ୍ୱାରା କରାଯାଇଥାଏ, ଯେଉଁଠି ଶିକ୍ଷକ ଜଣେ ସୁବିଧା ପ୍ରଦାନକାରୀ ବା ଆବଶ୍ୟକ ଅନୁସାରେ ମାର୍ଗଦର୍ଶକର ଭୂମିକା ନିଭେଇଥାନ୍ତି। ତେଣୁ ଶିକ୍ଷଣ ପ୍ରକ୍ରିୟାରେ ଶିକ୍ଷକ ପଢ଼େଇବା ଅପେକ୍ଷା ସୁନ୍ଦର ଶିକ୍ଷଣ ପରିବେଶ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷଣ ପ୍ରତି ଆକର୍ଷଣ ଓ ସକାରାତ୍ମକ ମନୋଭାବ ସୃଷ୍ଟି କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରଥାନ୍ତି। ଭଲ ପରିବେଶ ପାଇଲେ ମଞ୍ଜି ଭିତରେ ଥିବା ସାମର୍ଥ୍ୟ ଯେଭଳି ଗଛରେ ପରିଣତ ହୋଇଥାଏ, ଠିକ୍‌ ସେହିପରି ଉପଯୁକ୍ତ ବାତାବରଣ ଓ ସୁବିଧା ସୁଯୋଗ ପାଇଲେ ଶିକ୍ଷାର୍ଥୀମାନେ ନିଜ ଭିତରେ ଥିବା ଧୀ-ଶକ୍ତି, ଲୁକ୍କାୟିତ ଗୁଣାବଳୀଗୁଡ଼ିକର ଉପଯୋଗ କରି ସମର୍ଥ ମଣିଷ ଭାବରେ ନିଜକୁ ବିକଶିତ କରିପାରିବେ। ଏଠାରେ ଶିକ୍ଷକଙ୍କ ଦୁଇଟି ପ୍ରମୁଖ ଭୂମିକା ରହିଛି। ପ୍ରଥମତଃ, ଶିକ୍ଷକ ଶିଶୁମାନଙ୍କୁ ଅଜ୍ଞାନ, ଅନଭିଜ୍ଞ ତଥା କିଛି ଜାଣି ନ ଥିବା ସାଧାରଣ ଛୋଟ ଛୋଟ ଛୁଆ ଭାବି ଅଣଦେଖା ନ କରି ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ଚିହ୍ନଟ, ସ୍ବୀକୃତି ଓ ଉନ୍ମେଷ ନିମିତ୍ତ କ୍ଷେତ୍ର ପ୍ରସ୍ତୁତି ନିତାନ୍ତ ପ୍ରୟୋଜନ। ଅର୍ଥାତ୍‌ ଶିଶୁ ଭିତରେ ଥିବା ଅସୀମ ଶକ୍ତି ଓ ଅପାର ସମ୍ଭାବନାକୁ ଚିହ୍ନିବା ଓ ସେଗୁଡିକର ବିକାଶ ପାଇଁ ପ୍ରଯତ୍ନ ହେବା ସବୁଠାରୁ ବଡ଼ କାମ। ସେଥିପାଇଁ ସ୍ବାମୀ ବିବେକାନନ୍ଦ କହୁଥିଲେ- ଶିକ୍ଷା ହେଉଛି ମଣିଷ ମଧ୍ୟରେ ରହିଥିବା ଦିବ୍ୟ ପୂର୍ଣ୍ଣତାର ଅଭିବ୍ୟକ୍ତି। ଦ୍ବିତୀୟତଃ, ଶିଶୁ ଭିତରେ ଥିବା ଅପାର ସମ୍ଭାବନାକୁ ଚିହ୍ନିବା ପରେ, ଶିକ୍ଷକ ବା ଶିକ୍ଷାନୁଷ୍ଠାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ଶିକ୍ଷଣ ପରିବେଶ ସୃଷ୍ଟି କରିବା। ଭଲ ପରିବେଶଟିଏ ତିଆରି ହୋଇଗଲେ ଶିକ୍ଷାର୍ଥୀ ଆଗକୁ ମାଡ଼ିଚାଲିବ। ସେଥିପାଇଁ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହନ୍ତି- ମୁଁ କେବେ ହେଲେ ମୋ ଛାତ୍ରମାନଙ୍କୁ ପଢାଏ ନାହଁି; ମୁଁ କେବଳ ଏକ ଶିକ୍ଷଣ ପରିବେଶ ଯୋଗାଇ ଦେବାକୁ ଚେଷ୍ଟା କରେ ଯେଉଁଥିରୁ କି ସେମାନେ ଶିଖିପାରିବେ।
ଉପରୋକ୍ତ ସ୍ବୀକାରୋକ୍ତିରୁ ଏହା ସ୍ପଷ୍ଟ ଯେ ଶିକ୍ଷା ଦେବା ଅପେକ୍ଷା ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷଣ ପରିବେଶ ଯୋଗାଇ ଦେବା ଏବଂ ସେମାନଙ୍କ ପ୍ରକୃତ ସାମର୍ଥ୍ୟ ଓ ଦକ୍ଷତା ସମ୍ବନ୍ଧରେ ଅବଗତ କରେଇବା ଶିକ୍ଷକଙ୍କର (ଶିକ୍ଷକ ଭାବରେ ପିତା,ମାତା, ଶିକ୍ଷାନୁଷ୍ଠାନରେ ନିୟୋଜିତ କର୍ମକର୍ତ୍ତା ବା ଅନ୍ୟ କେହି ହୋଇପାରନ୍ତି) ବଡ଼ କାମ। ମନେରଖିବା ଉଚିତ କି ଯେତେଦିନ ପର୍ଯ୍ୟନ୍ତ ଜଣେ ତା’ର ସାମର୍ଥ୍ୟକୁ ଚିହ୍ନି ନାହିଁ, ନିଜ ବୁଦ୍ଧି, ସୃଜନ ଶକ୍ତି ସମ୍ପର୍କରେ ଅବଗତ ହୋଇନାହିଁ, ସେ କସ୍ତୁରୀ ମୃଗ ଭଳି ବିଚାର ରଖିଥିବ, ନିଜକୁ ଦୁର୍ବଳ ଓ ଅସହାୟ ବୋଲି ଭାବୁଥିବ। ଏଠାରେ ଏକ ପୌରାଣିକ ଉଦାହରଣ ଦିଆଯାଇପାରେ। ମାତା ସୀତାଙ୍କ ସନ୍ଧାନ ପାଇଁ ଯେତେବେଳେ ଶ୍ରୀହନୁମାନଙ୍କୁ ମନୋନୀତ କରାଗଲା, ନିଜ ସାମର୍ଥ୍ୟ ସମ୍ବନ୍ଧରେ ଆତ୍ମବିସ୍ମୃତ ହନୁମାନ ପ୍ରଥମେ ନିଜର ଅକ୍ଷମତା ଓ ଅସହାୟତା ପ୍ରକଟ କରିଥିଲେ। କିନ୍ତୁ ଯେତେବେଳେ ତାଙ୍କ ପରାକ୍ରମ (ବାଲ୍ୟକାଳରେ ଉଦିତ ସୂର୍ଯ୍ୟଦେବଙ୍କୁ ପାଚିଲା ଫଳ ଭାବି ଗ୍ରାସ କରିବାର ପ୍ରଚେଷ୍ଟା) ସମ୍ପର୍କରେ ସୂଚେଇ ଦିଆଗଲା, ଶ୍ରୀହନୁମାନଙ୍କ ଆତ୍ମବିଶ୍ବାସ ଦୃଢ଼ୀଭୂତ ହେଲା ଏବଂ ନ୍ୟସ୍ତ କାମଟିକୁ ସୁରୁଖୁରୁରେ କରିଥିଲେ। ସଚିନ ତେନ୍ଦୁଲକରଙ୍କ ବଡ଼ ଭାଇ ଅଜିତ ରମେଶ ତେନ୍ଦୁଲକର ଏବଂ ଗୁରୁ ରମାକାନ୍ତ ଆଚେରକର୍‌ ଯଦି କ୍ରିକେଟକୁ ନେଇ ତାଙ୍କ ଭିତରେ ଥିବା ଅପାର ଶକ୍ତି ଓ ସାମର୍ଥ୍ୟକୁ ଚିହ୍ନିପାରି ନ ଥାନ୍ତେ ଓ ପ୍ରୋତ୍ସାହନ ଦେଇ ନ ଥାନ୍ତେ, ଏ ବିଶ୍ବ ଜଣେ ବିଶିଷ୍ଟ କ୍ରୀଡ଼ାବିତ୍‌ଙ୍କୁ ପାଇଥାନ୍ତା କି! ତେଣୁ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଥମ ମୌଳିକ ନୀତି ସ୍ବରୂପ ପ୍ରତ୍ୟେକ ଶିଶୁ ଭିତରେ ଥିବା ଅନନ୍ୟ ଦକ୍ଷତାର ଚିହ୍ନଟ, ସ୍ବୀକୃତି ଓ ବିକାଶ ହେବା ଉଚିତ ବୋଲି ଗୁରୁତ୍ତ୍ୱାରୋପ କରାଯାଇଛି(ଜାତୀୟ ଶିକ୍ଷା ନୀତି ପୃଷ୍ଠା-୫)। ସେହିଭଳି ଜାତୀୟ ଶିକ୍ଷା ନୀତିରେ ଘୋଷା ବିଦ୍ୟା ବା ତଥ୍ୟ ମନେରଖିବା ଅପେକ୍ଷା ଅବଧାରଣାଗୁଡ଼ିକର ଯଥାର୍ଥ ବୋଧଗମ୍ୟ ଏବଂ ସୃଜନଶୀଳ ଓ ବିଶ୍ଳେଷଣାତ୍ମକ ଚିନ୍ତନ ଉପରେ ଗୁରୁତ୍ତ୍ୱ ଦିଆଯାଇଛି(ପୃଷ୍ଠା-୫ ବିନ୍ଦୁ-୬ ଓ ୭)। ଅର୍ଥାତ୍‌ ଶିକ୍ଷକମାନେ ଶିଶୁର ଭାଗ୍ୟ ଓ ଭବିଷ୍ୟତ ଗଠନର କୁଶଳୀ ବିଶ୍ୱକର୍ମା ହୋଇଥିବାରୁ ପିଲାମାନଙ୍କୁ ପଢ଼େଇ,ଘୋଷେଇ, ବାରମ୍ବାର ଅଭ୍ୟାସ ପୂର୍ବକ ତଥ୍ୟବୀର ଓ ତଥ୍ୟଚର କରିବା ପରିବର୍ତ୍ତେ ନିଜ ଶିକ୍ଷାର୍ଥୀମାନଙ୍କର ବିବିଧ ଦକ୍ଷତା ଓ ସାମର୍ଥ୍ୟକୁ ଜାଣିବା, ଚିହ୍ନିବା ସହ ସେମାନଙ୍କୁ ସେମାନଙ୍କ ଆତ୍ମ-ପରିଚିତି ସମ୍ବନ୍ଧରେ ଅବଗତ କରେଇବା ପ୍ରମୁଖ କାର୍ଯ୍ୟ ହେବା ଉଚିତ। ଶିକ୍ଷକମାନଙ୍କ ଗୁରୁଦାୟିତ୍ୱ ହେଉଛି ଉପଯୁକ୍ତ ଶିକ୍ଷଣ ବାତାବରଣ ସୃଷ୍ଟି କରି ଶିଶୁମାନେ କିପରି ଆଭ୍ୟନ୍ତରୀଣ ଅଭିପ୍ରେରଣା ମାଧ୍ୟମରେ ସ୍ବ-ପ୍ରଚେଷ୍ଟା ଓ ଆଗ୍ରହର ସହ ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ସହଭାଗିତା କରିପାରିବେ ସେଥିପାଇଁ ବିଶେଷ ଯୋଜନା ଓ କୌଶଳ ବିକାଶ କରିବା। କାରଣ ଦର୍ପଣରେ ଥିବା ମଇଳା ହଟେଇବା ଭଳି ପିଲାମାନଙ୍କ ଭିତରେ ବିଦ୍ୟମାନ ଅପାର ସମ୍ଭାବନାକୁ ଅବଗତ କରେଇ ଦେଲେ ପିଲାମାନେ ନିଜକୁ ଦୁର୍ବଳ ବିବେଚିତ କରିବେ ନାହିଁ। ନିଜ ସାମର୍ଥ୍ୟ ଆଧାରରେ ଶିକ୍ଷଣ କାର୍ଯ୍ୟ କରିବାକୁ ଆଗଭର ହେବେ। ଫଳତଃ ଶିକ୍ଷଣ କାର୍ଯ୍ୟ ସହଜ,ସରଳ ଓ ସମାବେଶୀ ହୋଇପାରିବ। ଏଥିସହ ବିଦ୍ୟାଳୟ ବା ଶ୍ରେଣୀ ପ୍ରକୋଷ୍ଠର ଭୌତିକ ପରିବେଶକୁ ଆକର୍ଷଣୀୟ କରିବା ସହ ପିଲାଙ୍କ ଭିତରେ ସୁସମ୍ପର୍କ, ଦଳଗତ ମନୋବୃତ୍ତି ଓ ଉତ୍ସାହ, ସହଯୋଗଭିତ୍ତିକ ପ୍ରତିଯୋଗିତା, ବ୍ୟକ୍ତିଗତ ଓ ଦଳଗତ କାର୍ଯ୍ୟ, ପରୀକ୍ଷଣ କାର୍ଯ୍ୟ ଇତ୍ୟାଦି ଶିକ୍ଷଣ କାର୍ଯ୍ୟକୁ ସୁନିଶ୍ଚିତ ଓ ସୁନିୟୋଜିତ କରିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗୁରୁଦାୟିତ୍ୱ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ପାଇଁ ମିଳୁଥିବା ସମୟର ସିଂହଭାଗ ସମୟ ପଢ଼େଇବା ଉପଯୋଗ ନ କରି ପିଲାମାନେ କିପରି ଅଧିକରୁ ଅଧିକ ସମୟ ଶିକ୍ଷଣ କାର୍ଯ୍ୟରେ ବ୍ୟସ୍ତ ତଥା ନିମଗ୍ନ ରହିବେ ସେଥିପାଇଁ କୌଶଳର ବିକାଶ କରିପାରିଲେ ଶିକ୍ଷଣ ଆନନ୍ଦଦାୟକ, ଜୀବନ୍ତ, ଦୀର୍ଘସ୍ଥାୟୀ ଓ ସଫଳ ହୋଇପାରିବ। ସେହିପରି ବାଚନିକ ପରାମର୍ଶ ଅପେକ୍ଷା ଶିକ୍ଷଣ ସାମଗ୍ରୀ ଉପଯୋଗ ଓ କ୍ରିୟାଭିତ୍ତିକ ଶିକ୍ଷଣ ଆଧାରରେ ପିଲାମାନଙ୍କୁ ସକ୍ରିୟ ଅଂଶଗ୍ରହଣ ପାଇଁ ପରିବେଶ ସୃଷ୍ଟି କରିବା ଉଚିତ। ବିଶେଷକରି ପିଲାମାନଙ୍କୁ କେବଳ ପାଠ୍ୟପୁସ୍ତକ ଭିତରେ ସୀମିତ ନ ରଖି ସେମାନଙ୍କ ଭିତରେ ଥିବା ବହୁବିଧ ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବା ଉଚିତ। ଅର୍ଥାତ୍‌ ପିଲାଙ୍କ ଜ୍ଞାନାତ୍ମକ ବିକାଶ ସହ ଭାବାତ୍ମକ ଓ କ୍ରିୟାତ୍ମକ ଦିଗଗୁଡ଼ିକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଶିକ୍ଷକ ଚିନ୍ତା କରିବା ଉଚିତ। ତେଣୁ ସଫଳ ଶିକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷକଙ୍କ ଭୂମିକା ଓ ଶିକ୍ଷାର୍ଥୀଙ୍କ ସକ୍ରିୟ ସହଭାଗିତା ପ୍ରଣିଧାନଯୋଗ୍ୟ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri