ଗଛ ଉପରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି ପିଲା: ଭିଡିଓ ଭାଇରାଲ

ମୁମ୍ବାଇ,୧୮।୮: କରୋନା ଲକ୍‌ଡାଉନ ଯୋଗୁ ଦେଶରେ ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପିଲାଙ୍କ ଭବିଷତ୍ୟକୁ ନଜରରେ ରଖି ଅନ୍‌ଲାଇନରେ ପାଠ ପଢ଼ାଇବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଅନ୍‌ଲାଇନରେ ପାଠପଢ଼ାକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି। କାହା ପାଖରେ ସ୍ମାର୍ଟ ଫୋନ୍‌ ନାହିଁ ତ ଆଉ କେଉଁଠି ନେଟଓ୍ବାର୍କ ନାହିଁ। ଫଳରେ ପିଲାଙ୍କୁ କେତେବେଳେ ପାହାଡ଼ ଉପରେ ଚଢ଼ିବାକୁ ପଡ଼ୁଛି ଆଉ କେତେବେଳେ ଗଛ ଉପରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ନାସିକ ଜିଲା ସ୍ଥିତ ନନ୍ଦୁରବାରରେ କେତେକ ପିଲା ଅନ୍‌ଲାଇନ କ୍ଲାସ୍‌ ପାଇଁ ଗଛ ଉପରେ ଚଢ଼ି ପାଠପଢ଼ୁଥିବା ଦେଖିବାକୁ ମିଳିଛି। କାରଣ ଗାଁରେ ଭଲ ନେଟଓ୍ବାର୍କ ଆସୁ ନ ଥିବାରୁ ବାଧ୍ୟ ହୋଇ ପିଲାମାନେ ଗଛ ଉପରେ ଚଢ଼ି ପାଠପଢ଼ୁଛନ୍ତି।

ଗଛ ଉପରେ ନେଟଓ୍ବାର୍କ ଭଲ ଆସୁଥିବାରୁ ପିଲାମାନେ ସେଠାରେ ବସି ପାଠପଢ଼ୁଛନ୍ତି। ବର୍ତ୍ତମାନ କରୋନା କାଳରେ ପିଲାଙ୍କ ପାଇଁ ଅନ୍‌ଲାଇନ ଶିକ୍ଷା ଜରୁରୀ ହୋଇପଡ଼ିଥିବା ବେଳେ ଇଣ୍ଟରନେଟ ଅଭାବରୁ ପିଲାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏମାନଙ୍କ ମଧ୍ୟରେ କମ୍‌ ବୟସର ଶିଶୁ ଥିବା ବେଳେ କାଲି କିଛି ଅଘଟଣ ନ ଘଟିବ ବୋଲି କିଏ କହିବ। ଅନ୍ୟପଟେ ଏନେଇ ନାସିକ ଡିଭିଜନର ଶିକ୍ଷା ଉପ ନିର୍ଦ୍ଦେଶକ ପ୍ରବୀଣ ପାଟିଲ କହିଛନ୍ତି, ଉକ୍ତ ଅଞ୍ଚଳରେ ମାତ୍ରାଧିକ ମୋବାଇଲ ଟାଓ୍ବାର ନାହିଁ। ଯେଉଁଥିପାଇଁ ସେଲୁଲାର ସଂଯୋଗ ଓ ଇଣ୍ଟରନେଟ ସ୍ପିଡ୍‌ରେ ସମସ୍ୟା ଦେଖାଯାଉଛି। ତେଣୁ ଅନ୍‌ଲାଇନ କ୍ଲାସ୍‌ ପାଇଁ ପିଲାଙ୍କୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

Share