Categories: ଜାତୀୟ

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା ଦେଇଛନ୍ତି। ଏହାର ଫଟୋ ଓ ଭିଡିଓ ସାମ୍‌ନାକୁ ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିକୁ ସମାଲୋଚନା କରାଯାଉଛି। ସୂଚନା ଅନୁସାରେ, ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୧ଟା ୪୫ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବାର ଥିଲା। କିନ୍ତୁ ମହାରାଜା ହରେନ୍ଦ୍ର କିଶୋର କଲେଜ କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ଠିକ୍‌ ସମୟରେ ପ୍ରଶ୍ନପତ୍ର ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ ପିଲା ଓ ଅଭିଭାବକମାନେ ପାଟିିତୁଣ୍ଡ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ପୋଲିସ ପହଞ୍ଚିଥିଲା। ବୁଝାଶୁଝା ସରିବା ବେଳକୁ ରାତି ହୋଇଯାଇଥିଲା। ଉକ୍ତ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଜେନେରେଟର ମାଧ୍ୟମରେ ଅଭିଭାବକମାନେ ଆଣିଥିବା କାର୍‌ଗୁଡ଼ିକର ହେଡ୍‌ଲାଇଟ ଜଳିଥିଲା। ଏହି ଆଲୋକରେ ଛାତ୍ରୀଛାତ୍ରମାନେ ରାତି ୮ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ। ଘଟଣାର ତଦନ୍ତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share