ଡ୍ରିଲ୍‌ ସମୟରେ ହଠାତ୍‌ ଅଚେତ ହୋଇପଡ଼ିଲେ ୩ଛାତ୍ରୀ

ସଜନାଗଡ,୨୩।୪(ଡି.ଏନ୍‌.ଏ.): ବାଲେଶର ଜିଲା ନୀଳଗିରି ବ୍ଲକ ଅଧିନ ଜାମୁଢିଆ ଆଦର୍ଶ ବିଦ୍ୟାଳୟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। ସକାଳେ ଡ୍ରିଲ୍‌ ସମୟରେ ୨୦୦ ପିଲା ଭାଗ ନେଇଥିବା ବେଳେ ୧୫ଜଣ ଛାତ୍ରୀହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରୁ ୩ଜଣ ଛାତ୍ରୀ ଅଚେତ ହୋଇଯାଇଥିବା ଜଣାପଡ଼ିଛି। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସ୍କୁଲ କର୍ତ୍ତୃପକ୍ଷ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅସୁସ୍ଥ ୩ଛାତ୍ରୀ ହେଲେ ହରପ୍ରିୟା ପାତ୍ର, ଜ୍ୟୋସ୍ନାରାଣୀ ବେହେରା, କବିତା ଜେନା। ବର୍ତ୍ତମାନ ସମସ୍ତଙ୍କର ନୀଳଗିରି ହସ୍ପିଟାଲରେ ଚିକିତ୍ସା ଚାଲିଛି। ଛାତ୍ରୀ ଦ୍ୱୟ ଜଣଙ୍କ ନବମ ଶ୍ରେଣୀ ଓ ଜଣେ ଅଷ୍ଟମ ଶ୍ରେଣୀର ବୋଲି ଜଣାପଡିଛି। ତେବେ ଏସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ କରୁଣାକର ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଡ୍ରିଲ୍‌ ପାଇଁ ନୁହେଁ ବରଂ ସକାଳୁଆ ସ୍କୁଲ ରହୁଥିବାରୁ ପିଲାମାନେ ବହୁତ ଦୂର ଦୁରାନ୍ତରୁ ସ୍କୁଲ ଆସୁଛନ୍ତି। ଫଳରେ ନ ଖାଇପିଇ ସ୍କୁଲକୁ ଆସୁଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ଅନ୍ୟପକ୍ଷରେ ସମସ୍ତ ଛାତ୍ରୀଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପଛରେ ଘରୋଇ ହଷ୍ଟେଲରେ ଖାଦ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।