ଖୋଲା ଆକାଶ ତଳେ ପଢୁଛନ୍ତି ଛାତ୍ରୀଛାତ୍ର

ସଇଁତଲା,୪ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତ ଅନ୍ତର୍ଗତ କୁଅଁାରଗଁାଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟିରେ ସାମିଲ କରି ସ୍ମାର୍ଟ କ୍ଲାସ ରୁମ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବିଦ୍ୟାଳୟରେ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୧୩୯ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି । ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ସ୍କୁଲର କୋଠରୀଗୁଡ଼ିକର ଉନ୍ନତୀକରଣ ନିମନ୍ତେ ଭଙ୍ଗାରୁଜା କରିଦେଇଛି। ଯାହାଫଳରେ ଉକ୍ତ କୋଠରୀରେ ଛାତ୍ରୀଛାତ୍ର ପାଠ ପଢ଼ି ପାରୁନାହାନ୍ତି। ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଠିକା ସଂସ୍ଥା ଉନ୍ନତୀକରଣ କାର୍ଯ୍ୟ ବନ୍ଦ କରି ରଖିଛି। ଅପରପକ୍ଷରେ କୋଠରୀଗୁଡ଼ିକ ଭଙ୍ଗା ଅବସ୍ଥାରେ ଥିବା ଯୋଗୁ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଖରାରେ ଖୋଲା ଆକାଶ ତଳେ ବସି ପାଠ ପଢ଼ିବା ପାଇଁ ବାଧ୍ୟ ହେଉଛନ୍ତ। ଆଗକୁ ମାଟ୍ରିକ ପରୀକ୍ଷା ହେବ। ବ୍ଲକ ଅଞ୍ଚଳର ଅନେକ ବିଦ୍ୟାଳୟ ମଧ୍ୟରୁ ରାଧାକୃଷ୍ଣ ବିଦ୍ୟାଳୟରେ ମଧ୍ୟ ସେଣ୍ଟର ହୋଇଥାଏ। ଅଳ୍ପଦିନ ମଧ୍ୟରେ ୫ଟି କାର୍ଯ୍ୟ ନ ସରିଲେ କିଭଳି ଭାବରେ ଉକ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପାଇଁ ସେଣ୍ଟର କରାଯିବ ଏବଂ ଛାତ୍ରୀଛାତ୍ର ଉକ୍ତ ବିଦ୍ୟାଳୟରେ ପରୀକ୍ଷା ଦେବେ ସେନେଇ ଅଭିଭାବକ ମହଲରେ ଆଶଙ୍କା ଦେଖାଦେଇଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ପୁରୋହିତଙ୍କୁ ପଚାରିବାରେ ସ୍କୁଲର ଉନ୍ନତୀକରଣ କାର୍ଯ୍ୟ ତ୍ୱରାନ୍ବିତ କରାଯିବାକୁ ସ୍କୁଲ କମିଟି ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିବା କହିଥିଲେ।