ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ ରହିଯାଇଛି। ଏଭଳି ନେଟୱର୍କ ସମସ୍ୟା ଥିବାରୁ ଲୋକମାନେ ବିଭିନ୍ନ କାମପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ତ୍ତମାନ ମୁଖ୍ୟତଃ ଛାତ୍ରୀଛାତ୍ର ଅନ୍‌ଲାଇନ ପାଠପଢ଼ା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲାର କୁତ୍ରା ବ୍ଲକର ଉପାାନ୍ତ ରଙ୍ଗମାଟି ଗ୍ରାମରେ ମୋବାଇଲ ନେଟୱାର୍କ ନ ଥିବାରୁ ପିଲାମାନେ ନିଜ ଗାଁଠାରୁ ୩ କିମି ଦୂର ପଡୋଶୀ ଝାଡ଼ଖଣ୍ଡର କାଦୋପାନି ପଞ୍ଚାୟତର ଏକ ପାହାଡ ଉପରେ ବସି ପାଠପଢୁଛନ୍ତି। ଗ୍ରାମର ସୋନି ସଙ୍ଗୀତା ଡୁଙ୍ଗଡୁଙ୍ଗ ଗ୍ରାମର ୫୦ ଜଣ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ୫/୬ଗ୍ରୁପରେ ପାଠ ପଢାଉଛନ୍ତି। ସେହିପରି ଜିଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ତିରଲାକୁଚା ଗାଁରେ ମଧ୍ୟ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଭଳି ଘଟଣା ଡିଜିଟାଲ ଇଣ୍ଡିଆ ସ୍ଲୋଗାନର ବାସ୍ତବତାକୁ ପଦାରେ ପକାଇଛି। ତିରଲାକୁଚା ଗାଁର ଜଣେ ନବମ ଶ୍ରେଣୀ ଛାତ୍ର ଓ ଦୁଇଜଣ ଅଷ୍ଟମ ଶ୍ରେଣୀ ଛାତ୍ର ଶନିବାର ଗାଁ ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ ଝାଣ୍ଡି ପାହାଡ଼ ଉପରେ ଚଢି ମୋବାଇଲରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ତିରଲାକୁଚା ଗାଁର ନୁନୁ ମୁଣ୍ଡାରୀ ଓ ସୁଦନ ମୁଣ୍ଡାରୀଙ୍କ ପୁଅ ଅମର ମୁଣ୍ଡାରୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ହୋଇଥିବାବେଳେ ଗାନ୍ଦୁଆ ମାହାଲି ଓ କୌଶଲ୍ୟା ମାହାଲିଙ୍କ ପୁଅ ସଚିନ ମାହାଲି ଏବଂ ତେଲଙ୍ଗା ଓରାମ ଓ ବାନ୍ଧନି ଓରାମଙ୍କ ପୁଅ ଗୋପାଳ ଓରାମ ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି। ବର୍ତ୍ତମାନ ସେମାନଙ୍କ ୟୁଟ୍ୟୁବ କ୍ଲାସ ଚାଲିଥିବା ବେଳେ ଜୁଲାଇ ୧ରୁ ନିୟମିତ ବ୍ୟବଧାନରେ ସେମାନଙ୍କ ଅନ୍‌ଲାଇନରେ ପରୀକ୍ଷା ଅନୁଷ୍ଠିତ ହେଉଛି। ହେଲେ ଗାଁରେ ମୋବାଇଲ ନେଟୱର୍କ ଆସୁ ନ ଥିବାରୁ ଝାଣ୍ଡି ପାହାଡ଼ ଉପରେ ଚଢି ନେଟୱର୍କ ଖୋଜି ସେମାନେ ପାଠ ପଢୁଛନ୍ତି ଏବଂ ପରୀକ୍ଷା ଦେଉଛନ୍ତି। ଅନୁରୂପ ଭାବରେ ଶନିବାର ମଧ୍ୟ ସେମାନଙ୍କ ୟୁଟ୍ୟୁବ କ୍ଲାସ ଅନୁଷ୍ଠିତ ହୋଇଥିବାବେଳେ ତିନିଜଣ ଛାତ୍ର ପାହାଡ଼ ଉପରକୁ ଚଢି ନେଟୱର୍କ ଖୋଜି ପାଠ ପଢ଼ିଥିଲେ। ଏଭଳି ପାହାଡ଼କୁ ଯିବା ଦ୍ୱାରା ସେମାନଙ୍କୁ ଜଙ୍ଗଲୀ ଜନ୍ତୁର ଭୟ ରହିଥିବାବେଳେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବହୁ ବିପଦ ରହିଛି। ହେଲେ ନିଜର ଭାଗ୍ୟ ଭବିଷ୍ୟତର କଥା ହୋଇଥିବା ଯୋଗୁ ଜୀବନକୁ ବାଜି ଲଗାଇ ସେମାନେ ପାହାଡ଼ ଉପରକୁ ଚଢିବାକୁ ବାଧ୍ୟ ହେଉଛନ୍ତି। ଏହି ଅବସରରେ ଉକ୍ତ ତିନିଜଣ ଛାତ୍ର କହିଛନ୍ତି ଯେ, ବର୍ତ୍ତମାନ ଅନ୍‌ଲାଇନରେ ପାଠପଢ଼ା ଚାଲିଥିବା ବେଳେ ଆମ ଗାଁରେ ମୋବାଇଲ ନେଟୱର୍କ ଆସୁ ନ ଥିବା ଯୋଗୁ ଆମେ ପାଠ ପଢିବାରୁ ବଞ୍ଚିତ ହେଉଛୁ। ଯଦି ସରକାର ଆମ ଗାଁରେ ମୋବାଇଲ ନେଟୱର୍କ ଆସିବାର ବ୍ୟବସ୍ଥା କରନ୍ତେ ଆମେ ଭଲ ପାଠପଢ଼ି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇପାରନ୍ତୁ ବୋଲି କହି ସରକାରଙ୍କୁ ନେହୁରା ହୋଇଛନ୍ତି।