ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କରନ୍ତୁ’

ଭୁବନେଶ୍ୱର,୧୬ା୧୧ (ବ୍ୟୁରୋ): ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗବେଷକ। ପ୍ରତି ଗବେଷଣା ଲୋକଙ୍କ ଉପକାର ପାଇଁ ଉଦ୍ଦିଷ୍ଟ। ତେଣୁ ପୁରାତନରୁ ନୂତନ ଯୁଗ ପର୍ଯ୍ୟନ୍ତ, ନିଆଁର ବ୍ୟବହାରଠାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, ସବୁଥିରେ ଗବେଷକଙ୍କ ଅବଦାନ ରହିଛି। ଛାତ୍ରୀଛାତ୍ର ଗବେଷଣାତ୍ମକ ମନୋବୃତ୍ତି ନେଇ ଅଧ୍ୟୟନ କଲେ ଗବେଷଣା କ୍ଷେତ୍ରରେ ଆମ ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଚାଲିଥିବା ‘ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୧’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସାହୁ କହିଲେ, ଏବେ ପିଲାମାନେ ବିଷୟ କୈନ୍ଦ୍ରିକ ହେଉଛନ୍ତି। ସେମାନଙ୍କ ମଧ୍ୟରେ ନୈତିକ ଓ ମୂଲ୍ୟବୋଧ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ‘ନୈତିକ ଓ ମୂଲ୍ୟବୋଧ’ ଭିତ୍ତିକ ପାଠ୍ୟକ୍ରମ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପାଠ୍ୟକ୍ରମ ଛାତ୍ରୀଛାତ୍ରଙ୍କୁ ନୂଆ ଦିଶା ଦେଖାଇବା ସହ ଆନ୍ତଃବିଷୟକ ଗବେଷଣା କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।
ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଏବଂ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ସମ୍ମିଳନୀରେ ଜେଏନ୍‌ୟୁ ନୂଆଦିଲ୍ଲୀର ଉପକୁଳପତି ପ୍ରଫେସର ଚିନ୍ତାମଣି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ବର ପ୍ରତ୍ୟେକ ବ୍ୟକ୍ତି ଗବେଷକ ବୋଲି କହିଥିଲେ। ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଲେ, ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗବେଷଣା ପାଇଁ ଅର୍ଥର ଅଭାବ ରହିବ ନାହିଁ। ଏହି ସହାୟତା ରାଶି ୫ଲକ୍ଷରୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅଧିକ ଦରକାର ହେଲେ ସରକାର ଅର୍ଥ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ରାଜ୍ୟ ସରକାରଙ୍କ ଗବେଷଣାତ୍ମକ ଯୋଜନା ସମ୍ପର୍କରେ କହିଥିବାବେଳେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ୨୦୧୯-୨୦୨୦ ଶିକ୍ଷାବର୍ଷରେ ୪୦ ଶିକ୍ଷକ ଓ ୧୩ ଏନ୍‌ଇଟି ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ଏବଂ ୨୦୨୦-୨୧ରେ ୪୦ ଶିକ୍ଷକଙ୍କ ସହ ୩୭ ଏନ୍‌ଇଟି ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ର ଗବେଷଣା କ୍ଷେତ୍ରରେ ସମ୍ମାନିତ ହୋଇଥିଲେ।