କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ ଅନୁଷ୍ଠାନ ‘ଆଶା’ ପକ୍ଷରୁ ଚଳିତ ଶିକ୍ଷାବର୍ଷ ସକାଶେ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି।
ଘୁଙ୍ଗି ଏକ ଆଦିବାସୀ ଅଧ୍ୟୁଷିତ ଗାଁ। ସବୁ ପରିବାର ଜୁଆଙ୍ଗ ବର୍ଗର। କହିବାକୁ ଗଲେ ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ। ଗାଁରେ ଅବସ୍ଥିତ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟରେ ପିଲାଙ୍କୁ ମାଗଣାରେ ପୋଷାକ, ଜୋତା, ବହି ମିଳେ। କିନ୍ତୁ ଅନ୍ୟ ପାଠ୍ୟ ଉପକରଣ ଯଥା ଖାତା, କଲମ, ପେନ, ପେନ ସିଲ ଇତ୍ୟାଦି ନିଜକୁ କିଣିବାକୁ ପଡେ। ଅଭିଭାବକଙ୍କ ଅଭାବ ଅନଟନ ଯୋଗୁ ପିଲାଙ୍କୁ ଏସବୁ ଯୋଗାଇବା ସମ୍ଭବ ହୁଏ ନାହିଁ। ଏ କଥା ସଚ୍ଛୋସେବୀ ଅନୁଷ୍ଠାନ ’ଆଶା’ର ଦୃଷ୍ଟି ଆକର୍ଷଣ ହୋଇଥିଲା।
ଇତିମଧ୍ୟରେ ଆଶା ପକ୍ଷରୁ ଛାତ୍ରୀଛାତ୍ରମାନଙ୍କୁ ଖାତା, କଲମ, ପେନସିଲ, ରବର, କଟର, ସ୍କେଲ, ପେନସିଲ ବକ୍ସ, ଜ୍ୟାମିତି ବାକ୍ସ, ସ୍ଲେଟ, ଖଡି, ବହି ମଲାଟ, ନେମ ପ୍ଲେଟ, ରଙ୍ଗ ପେନ, ଅଠା ସହ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଏବଂ ଗାଁର ଭଦ୍ର ଲୋକଙ୍କ ଉପସ୍ଥିତିରେ ଅନୁଷ୍ଠାନ ପକ୍ଷରୁ ବିଜୟ କୁମାର ଘଣା , ଶ୍ରୀମାନ ହିରୋ ମହାକୁଡ଼ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ସାମଗ୍ରୀ ବଣ୍ଟନ କରିଛନ୍ତି। ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।