ପ୍ରାର୍ଥନା ବେଳେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଧାମନଗର,୧୫।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନସର୍‌ ଗ୍ରାମସ୍ଥିତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ସକାଳ ପ୍ରାୟ ୬ଟା ୨୦ ମିନିଟ ସମୟରେ ପ୍ରାର୍ଥନା ଚାଳୁଥିବା ବେଳେ ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇ ପଡିଥିଲେ। ବିଦ୍ୟାଳୟର ଶିକ୍ଷକ ତୁରନ୍ତ ତାଙ୍କୁ ସ୍ଥାନୀୟ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଡାକ୍ତରଖାନା ପଠାଯାଇଥିଲା। ସେଠାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ମମିତା ରାଣୀ ବେହୁରିଆ। ସେ ନବମ ଶ୍ରେଣୀରେ ପଢୁଥିଲେ। ତେବେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।