ମଧ୍ୟାହ୍ନଭୋଜନ ଖାଉନାହାନ୍ତି ଛାତ୍ରୀଛାତ୍ର

ରଘୁନାଥପୁର,୨୯ା୩(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାର ଉନ୍ନତି ପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଏଠାରେ ମାଗଣାରେ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପାଠପଢା ବହି ଓ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅସ୍ଥାୟୀଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚାଲିଛି। ଏହି ବିଦ୍ୟାଳୟରେ ପଢ଼ୁଥିବା କେତେଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ମଧ୍ୟାହ୍ନ ଭୋଜନ ସମୟରେ ସମସ୍ତେ ଗୋଟିଏ ସ୍ଥାନରେ ବସି ଭୋଜନ କରୁଥିବାବେଳେ ଉକ୍ତ ଛାତ୍ରୀଛାତ୍ରମାନେ ସେହି ସ୍ଥାନରେ ଟିଫିନରେ ଆଣିଥିବା ଚଟପଟି ଖାଦ୍ୟ ଖାଉଛନ୍ତି। ଏହା ଅନ୍ୟ ପିଲାଙ୍କ ଉପରେ ପ୍ରଭାବ ପକାଉଛି ବୋଲି ଅଭିଭାବକମାନେ ନାମ ଗୋପନ ରଖି କହିଛନ୍ତି। ଏସମ୍ପର୍କରେ କେତେଜଣ ଅଭିଭାବକ କହିଛନ୍ତି, ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟ ସ୍ବାଦହୀନ ରହୁଛି। ପିଲାମାନେ ଏହାକୁ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାଛଡ଼ା ଆଉ କେତେଜଣ ଅଭିଭାବକଙ୍କ ନିଜ ପିଲାମାନଙ୍କ ପ୍ରତି ଅଧିକ ଦୁର୍ବଳତା ରହିଛି। ସେମାନଙ୍କ ପାଇଁ ଟିଫିନ ଦେବା ଏକ ଟ୍ରେଣ୍ଡ ପାଲଟିଛି। ଏନେଇ ଅଭିଭାବକମାନେ ସଚେତନ ହେବା ଜରୁରୀ ବୋଲି କୁହାଯାଉଛି। ବିଦ୍ୟାଳୟରେ ଦୈନିକ ଉପସ୍ଥାନ ଅନୁଯାୟୀ ମଧ୍ୟାହ୍ନ ଭୋଜନ କରାଯାଉଥିବାବେଳେ ଯେଉଁମାନେ ଏହାକୁ ଖାଉନାହାନ୍ତି, ସେମାନଙ୍କ ଖାଦ୍ୟ କ’ଣ ହେଉଛି ବୋଲି ପ୍ରଶ୍ନ ଉଠିଛି।
ସମ୍ପର୍କରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ବିଭୂତି ଭୂଷଣ ଦାଶ କୁହନ୍ତି, ଦୈନିକ ୧୦/୧୨ ପିଲା ଘରୁ ଟିଫିନ ଆଣି ଖାଉଛନ୍ତି। ସେମାନଙ୍କୁ ମନାକରାଯିବା ସତ୍ତ୍ୱେ ସେମାନେ ଟିଫିନ ଆଣୁଛନ୍ତି । ଅପରପକ୍ଷେ ବିଦ୍ୟାଳୟରେ ଖାଦ୍ୟ ରୁଚିକର ହେଉଛି ମାତ୍ର ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ପିଲା ଏଠାରେ ମଧ୍ୟାହ୍ନ ଭୋଜନ କରୁଛନ୍ତି ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ସାହୁ କହିଛନ୍ତି। ଆଗାମୀ ପିଟିଏ ମିଟିଂରେ ଅଭିଭାବକଙ୍କୁ ଏଥିପ୍ରତି ସଚେତନ କରାଯିବା ସହ ଆସନ୍ତା ବୁଧବାର ଓ ଶନିବାର ଠାରୁ ପିଲାଙ୍କୁ ସିଝା ଅଣ୍ଡା ପରିବର୍ତ୍ତେ ଅଣ୍ଡାକୁ ତେଲରେ ଭାଜି ତରକାରି କରି ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଜିଲା ଶିକ୍ଷାଧିକାରୀ ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି।