ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା, ମୁଢ଼ି ବିକିଲେ ଛାତ୍ର

ପୁରୁଷୋତ୍ତମପୁର,୨୫ା୮(ଡି.ଏନ୍‌.ଏ.): ସରକାର ଶିକ୍ଷା ଅଧିକାର ଆଇନ(ରାଇଟ୍‌ ଟୁ ଏଜୁକେଶନ) ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ‘ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ’ ର ନାରା ଦେଇ ପିଲାଙ୍କୁ ସ୍କୁଲ ଆସିବା ଲାଗି ଆଗ୍ରହ ସୃଷ୍ଟି କରିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ଜୋତା ଆଦି ପ୍ରଦାନ କରୁଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲାରେ ଶିକ୍ଷା ବିଭାଗୀୟ କର୍ମଚାରୀଙ୍କ ଉଦାସୀନତାରୁ ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇ ପାଠ ପଢ଼ି ନ ପାରି ସ୍କୁଲ ଗେଟ୍‌ ସମ୍ମୁଖରେ ଚଣା,ମୁଢ଼ି, ବିସ୍କେଟ, ଚକୋଲେଟ୍‌ ବିକ୍ରିକରି ଜଣେ ଛାତ୍ର ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି। ଯାହାକି ଏଠାରେ ଏକ ଲଜ୍ଜାଜନକ ଘଟଣା ପାଲଟିଛି। କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ପଣ୍ଡା ନିକଟସ୍ଥ ଚଢେଆପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ନେଇ ନିଜଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଖାଇବା ନିମନ୍ତେ ଗତ ୧୩ ତାରିଖଠାରୁ ଟ୍ରାନ୍ସଫର ସାର୍ଟିଫିକେଟ ଆଣି କୁମାରୀ ସ୍କୁଲକୁ ନାମ ଲେଖାଇବା ଲାଗି ଯାଇଥିବା ବେଳେ ଏହି ସାର୍ଟିଫିକେଟ ହେବ ନାହିଁ ଅନ୍‌ଲାଇନ୍‌ ସାର୍ଟିଫିକେଟ ଆଣିଲେ ହିଁ ହେବ କହି ପ୍ରଧାନ ଶିକ୍ଷୟିତ୍ରୀ ଫେରାଇ ଦେଲେ। ଏହାକୁ ନେଇ ସେ ପୁଣି ଚଢ଼େଆପଲ୍ଲୀ ସ୍କୁଲ ଯାଇ ଜଣାଇବା ସହ କୁମାରୀ ସ୍କୁଲ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଦୌଡ଼ି  ନୟାନ୍ତ ହୋଇଥିଲେ ମଧ୍ୟ କେହିହେଲେ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ନିଃସହାୟ ହେବା ପରେ ଶିକ୍ଷାରୁ ବଞ୍ଚିତ ହୋଇ ଶେଷରେ ଛାତ୍ରଙ୍କ ସହ ତାଙ୍କ ଅଭିଭାବକ କୁମାରୀ ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଅଭିନବ ପ୍ରତିବାଦ କରି ଛାତ୍ର ଜଣକ ଚଣା, ମୁଢ଼ି ବିକ୍ରି କରୁଛନ୍ତି। ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇ ତୁରନ୍ତ ଛାତ୍ରଙ୍କ ନାମ ଲେଖାଇ ଶିକ୍ଷାଦାନ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।