ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା

ଛେଣ୍ଡିପଦା,୨୬ା୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ହେଉ ନ ଥିବାରୁ ଶୁକ୍ରବାର ଶତାଧିକ ଛାତ୍ରୀଛାତ୍ରଙ୍କୁ ନେଇ ଅଭିବାବକ, ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ସେମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି।
ପ୍ରକାଶ ଯେ, ୧୯୬୬ ମସିହାରେ ସ୍ଥାପିତ ଟାଙ୍ଗରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ୧୬୨ ଛାତ୍ରୀଛାତ୍ର ପଢ଼ୁଛନ୍ତି। ଏଥିପାଇଁ ୭ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଥିବା ବେଳେ ୪ ମାସ ତଳୁ ୩ ଶିକ୍ଷକଙ୍କୁ ପ୍ରମୋଶନ ସହ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ସପ୍ତାହକ ମଧ୍ୟରେ ଖାଲି ପଦବୀ ପୂରଣ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ହେଲେ ଦେଢ଼ମାସ ପରେ ବି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ଫଳରେ ବାଧ୍ୟ ହୋଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରୈଲୋକ୍ୟ ସାହୁ, ଗ୍ରାମ ସଭାପତି ମହର୍ଗା ସାହୁ, ଗ୍ରାମ ସମ୍ପାଦକ ଶିବରାମ ସାହୁଙ୍କ ସମେତ ଅଭିବାବକ, ଗ୍ରାମବାସୀ ଓ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ଏ ସମ୍ପର୍କରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକର ଗଡ଼ନାୟକ କହିଛନ୍ତି, ଉକ୍ତ ସ୍କୁଲରେ ୨ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।