ପରୀକ୍ଷା କେନ୍ଦ୍ର ପାଇଁ ସହର ବଦଳାଇପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷା ପାଇଁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିପାରିବେ। ଏ ନେଇ ବୁଧବାର ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନେକ ଛାତ୍ରୀଛାତ୍ର ନିଜ ସ୍କୁଲ ଯେଉଁ ସହରରେ ଅଛି, ସେହି ସ୍ଥାନରେ ନ ଥିବା ବୋର୍ଡ ନଜରକୁ ଆସିଛି। ସେମାନେ ଅନ୍ୟ ସହରରେ ଏବେ ବି ରହିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା କେନ୍ଦ୍ର ପାଇଁ ସହର ବଦଳାଇବା ପାଇଁ ସୁଯୋଗ ଦେଇଛି। ଯେଉଁ ଛାତ୍ରୀଛାତ୍ରମାନେ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଚାହିଁବେ, ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ଅନୁରୋଧପତ୍ର ଲେଖିବେ। ସ୍କୁଲଗୁଡ଼ିକ ସିବିଏସ୍‌ଇର ନିର୍ଦ୍ଦେଶାବଳୀକୁ ପାଳନ କରି ଛାତ୍ରୀଛାତ୍ରଙ୍କ ସେହି ଅନୁରୋଧପତ୍ରକୁ ବୋର୍ଡକୁ ଅନ୍‌ଲାଇନ୍‌ରେ ପଠାଇବେ। ତେଣୁ ସମସ୍ତ ଛାତ୍ରୀଛାତ୍ର ଓ ସ୍କୁଲଗୁଡ଼ିକ ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌କୁ ନଜରରେ ରଖିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓ୍ବେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରୀଛାତ୍ର ସେମାନଙ୍କ ସ୍କୁଲ କର୍ତ୍ତପକ୍ଷଙ୍କୁ ଅନୁରୋଧପତ୍ର ଦେବେ। ଏଥିପାଇଁ ଅଳ୍ପ ସମୟ ଦିଆଯିବ। ତେବେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ପରୀକ୍ଷା କେନ୍ଦ୍ର ବଦଳାଇବା ପାଇଁ କୌଣସି ଅନୁରୋଧପତ୍ର ଗ୍ରହଣ କରାଯିବ ନାହିଁ ବୋଲି ଉକ୍ତ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ସିବିଏସ୍‌ଇ ୨୦୨୧-୨୨ ଦଶମ ଓ ଦ୍ୱାଦଶ ପରୀକ୍ଷା ଦୁଇଟି ଟର୍ମରେ ହେବ। ଟର୍ମ-୧ ପରୀକ୍ଷା ନଭେମ୍ବର-ଡିସେମ୍ବର ଏବଂ ଟର୍ମ-୨ ମାର୍ଚ୍ଚ-ଏପ୍ରିଲରେ ହେବ। ସେହିପରି ବୋର୍ଡ ବିଷୟଗୁଡ଼ିକୁ ମଧ୍ୟ ମେଜର ଓ ମାଇନର ଆଦି ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରିଛି। ଟର୍ମ-୧ ପରୀକ୍ଷା ପାଇଁ ମେଜର ପେପରଗୁଡ଼ିକର କାର୍ଯ୍ୟସୂଚୀ ଘୋଷଣା କରାଯାଇ ସାରିଛି। ଦଶମ ଟର୍ମ-୧ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ୱାଦଶ ଶ୍ରେଣୀ ଟର୍ମ-୧ ଡିସେମ୍ବର ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଇନର ବିଷୟଗୁଡ଼ିକର ପରୀକ୍ଷା କାର୍ଯ୍ୟସୂଚୀ ସ୍କୁଲଗୁଡ଼ିକୁ ଜଣାଇ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।