ଛାତ୍ରମାନେ ସଫା କରୁଛନ୍ତି ପାଣି ଟାଙ୍କି

ନୂଆପଡ଼ା ଅଫିସ୍‌, ୯।୪: ନୂଆପଡ଼ା ଜିଲା କୋମନା ବ୍ଳକ ଅନ୍ତର୍ଗତ ତରବୋଡ ଠାରେ ଅବସ୍ଥାପିତ ଜବାହାର ନବୋଦୟ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଅବିଭାବକ କମିଟି ଓ ସ୍ଥାନୀୟ ଅବିଭାବକମାନେ ଗୁରୁବାର ନୂଆପଡ଼ା ଜିଲାପାଳ ହେମକାନ୍ତ ସାଏଙ୍କୁ ସ୍କୁଲ ପରିଚାଳନା କମିଟି ମିଟିଙ୍ଗରେ ଯୋଗଦେବା ପାଇଁ ଯାଇଥିବା ସମୟରେ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଅନୁଯାୟୀ ଜିଲାପାଳ ସାଏ ବିଦ୍ୟାଳୟର ଅଧ୍ୟକ୍ଷା ଶାନ୍ତି ମହାନ୍ତିଙ୍କୁ ଗୋଟିଏ ମାସ ମଧ୍ୟରେ ସମସ୍ୟାର ସମାଧାନ ସହ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଗୋଟିଏ ଦିନ ବ୍ୟବଧାନରେ ବିଦ୍ୟାଳୟର ଛାତ୍ରମାନଙ୍କୁ ଅଧ୍ୟକ୍ଷା ପାଣି ଟାଙ୍କି ସଫା କରିବା କାର୍ଯ୍ୟରେ ନିୟୋଜନ କରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟର ଅଧ୍ୟକ୍ଷା ମହାନ୍ତିଙ୍କୁ ପଚାରିବାରୁ ପ୍ରତିଦିନ ବା ଛୁଟିଦିନରେ ଗୋଟିଏ ଘଣ୍ଟା ଛାତ୍ରୀଛାତ୍ରଙ୍କୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାଉ। କାହିଁକି ନା ପିଲାମାନେ ନିଜ କାମ ନିଜେ କରିବା ଶିଖିବେ। ଶୁକ୍ରବାର ଗୁଡ୍‌ଫ୍ରାଇଡେ ରହିଥିଲା। ସେଥିପାଇଁ ପିଲାଙ୍କୁ ଗୋଟିଏ ଘଣ୍ଟା ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲୁ। ପାଣିଟାଙ୍କି ସଫା କରୁ ନ ଥିଲେ। ନୂଆପଡା ଜିଲାପାଳ ସାଏଙ୍କୁ ପଚାରିବାରୁ ତଦନ୍ତ କରାଯିବ। ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ କ’ଣ ଜଣାପଡିବ ବୋଲି କହିଥିଲେ।