Categories: ଜାତୀୟ

ଶ୍ରେଣୀଗୃହରେ ୧୮ ଘଣ୍ଟା ବନ୍ଦ ରହିଲେ ଛାତ୍ରୀ

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶ ସମ୍ଭାଲର ଧନରିପତ୍ତି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ୧୮ ଘଣ୍ଟା କାଳ ଶ୍ରେଣୀଗୃହରେ ବନ୍ଦ ରହିଥିବା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣକ ଘରକୁ ଫେରି ନ ଥିଲେ। ଛାତ୍ରୀଙ୍କୁ ଖୋଜିବାପାଇଁ ତାଙ୍କ ଆଈ ସ୍କୁଲରେ ଯାଇ ପହଞ୍ଚି ଥିଲେ ହେଁ ନାତୁଣୀଙ୍କୁ ପାଇ ନ ଥିଲେ। ଘରନିକଟରେ ଥିବା ଜଙ୍ଗଲ ଓ ପଡ଼ୋଶୀଙ୍କ ଘର ବୁଲି ଖୋଜାଖୋଜି କରିଥିଲେ ପରିବାର ଲୋକେ। କିନ୍ତୁ ୭ ବର୍ଷୀୟା ନାବାଳିକାଙ୍କ ବିଷୟରେ କୌଣସି ସୂଚନା ମିଳି ନ ଥିଲା। ବୁଧବାର ସକାଳ ୮ଟାବେଳେ ସ୍କୁଲ ଖୋଲିବା ପରେ ଜଣାପଡ଼ିଥିଲା ଯେ, ଛାତ୍ରୀ ଜଣକ ସାରା ରାତି ଶ୍ରେଣୀଗୃହରେ ବନ୍ଦ ଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ୍‌ ଏଜୁକେଶନ୍‌ ଅଫିସର କହିଛନ୍ତି।

Share