ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତ: ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ପରଜଙ୍ଗ,୧୪।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ(ଆଇଜିଆଇଟି) କ୍ୟାମ୍ପସରେ ମଙ୍ଗଳବାର ରାତିରେ ପୁଣି ଛାତ୍ର ଅଶାନ୍ତ ଦେଖାଦେଇଛି । ବିଟେକ ତୃତୀୟ ଓ ଶେଷ ବର୍ଷ ଛାତ୍ରଙ୍କ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି। ଏହାକୁ ନେଇ କ୍ୟାମ୍ପସରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।
କଲେଜର ବିଟେକ ତୃତୀୟ ଓ ଶେଷ ବର୍ଷ ପିଲାଙ୍କ ମଧ୍ୟରେ ପ୍ରଥମେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା। ମାତ୍ର ପରେ ତାହା ସମାଧାନ ହୋଇଯାଇଥିଲା। କିନ୍ତୁ ରାତିରେ ପୁଣିଥରେ ଲଢେଇ ହେଲା । ଯାହାକୁ ନେଇ ମଙ୍ଗଳବାର ରାତିରେ କଲେଜ କ୍ୟାମ୍ପସ ଅଶାନ୍ତ ହୋଇ ଯାଇଥିଲା । ଏ ନେଇ କଲେଜ ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଭାସ୍କର, ବ୍ରହ୍ମୋସ ଓ ସୂର୍ଯ୍ୟ ଭବନର ଛାତ୍ରମାନେ ବୁଧବାର ସକାଳ ସୁଦ୍ଧା ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶକ ମହନ୍ତ ନୋଟିସ ଜାରି କରିଛନ୍ତି। କଲେଜର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେରଖି ପରଜଙ୍ଗ ପୋଲିସ ପକ୍ଷରୁ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ ସାରା ରାତି କଲେଜର ବିଭିନ୍ନ ଛାତ୍ରାବାସ ଭବନ ସମ୍ମୁଖରେ ପୋଲିସ ମୃତୟନ ଥିବା ସୂଚନା ଦେଇଛନ୍ତି ।