ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି

ଭଦ୍ରକ ଅଫିସ, ୫ ।୩ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଅଫ୍‌ଲାଇନ ପରିବର୍ତ୍ତେ ଅନ୍‌ଲାଇନ କରିବା ଦାବିରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଛାତ୍ରୀଛାତ୍ର କଲେଜ ଫାଟକରେ ତାଲା ପକାଇ ହୋହାଲ୍ଲା କରି ଆନ୍ଦୋଳନ କରିଥିଲେ। ଟାଉନ ଥାନା ପୋଲିସ ଓ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନ ସମୟରେ ପୋଲିସର ଉପସ୍ଥିତିକୁ ଛାତ୍ରୀଛାତ୍ର ବିରୋଧ କରିଥିଲେ। ଏହି ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଥିଲା। କରୋନା ମହାମାରୀ ଯୋଗୁ ୬୦ ପ୍ରତିଶତ ପାଠ୍ୟକ୍ରମ ପଢ଼ା ହୋଇ ନ ଥିବାବେଳେ ଅଫ୍‌ଲାଇନ ପରୀକ୍ଷା ପରୀକ୍ଷାର୍ଥୀଙ୍କୁ ସମସ୍ୟାରେ ପକାଇବ ବୋଲି ଛାତ୍ରୀଛାତ୍ର ଅଡ଼ି ବସିଥିଲେ। କଲେଜ ଅଧ୍ୟକ୍ଷ ଉମାକାନ୍ତ ସାମଲ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।