ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ ମେଢ଼ ଭସାଣି ବେଳେ ନଦୀକୁ ଯାଇଥିବା ୧୦ ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ଛାତ୍ର ଗଭୀର ଜଳସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ଝରକୁଆଳି ଗ୍ରାମର ସୁମିତ କୁମାର ମିଶ୍ର (୨୨)। ସେ ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି।

ଶୁକ୍ରବାର ସୁମିତ ଗ୍ରାମର ସାଙ୍ଗସାଥୀଙ୍କ ସହ ଗଣେଶ ମେଢ଼ ଭସାଣି ପାଇଁ ପ୍ରାୟ ୧୫ କିମି ଦୂର ପ୍ରତାପୁରସ୍ଥିତ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟକୁ ଆସିଥିଲେ। ୧୦ ଜଣ ସାଙ୍ଗ ଏକାଠି ହୋଇ ନଦୀ ପାଣି ମଧ୍ୟକୁ ଯାଇଥିବାବେଳେ ହଠାତ୍‌ ଗଭୀର ଜଳସ୍ରୋତରେ ସମସ୍ତେ ଭାସିବାକୁ ଲାଗିଥିଲେ। ତେବେ ଉପସ୍ଥିତ ଲୋକଙ୍କ ସହାୟତାରେ ୯ ଜଣ କୌଶଳକ୍ରମେ ପହଁରି କୂଳକୁ ଫେରି ଆସିଥିବାବେଳେ ସୁମିତ ପାଣିରୁ ବାହାରି ପାରି ନ ଥିଲେ।

ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ତଦାରଖ କରିଥିଲେ। ଏଥିସହ ପୁରୁଷୋତ୍ତମପୁର ଓ ଛତ୍ରପୁର ଦମକଳ ବାହିନୀକୁ ଡକାଯାଇଥିଲା। ଦମକଳ ବାହିନୀ କର୍ମଚାରୀମାନେ ନଦୀ ପାଣିରେ ପଶି ସୁମିତଙ୍କୁ ଖୋଜାଖୋଜି ଜାରି ରଖିଥିଲେ। ତେବେ ଖବର ଲେଖାଯିବା ସୁଦ୍ଧା ସୁମିତଙ୍କ କୌଣସି ପତ୍ତା ମିଳିନଥିଲା।

ସୁମିତଙ୍କ ନିଜ ଘର ପୋଲସରା ଥାନା ଅନ୍ତର୍ଗତ ସର୍ଦ୍ଧାପୁର ଗ୍ରାମରେ। ପ୍ରାୟ ୧୯ ବର୍ଷ ତଳେ ବାପା ସୁଶାନ୍ତ ମିଶ୍ରଙ୍କ ମୃତ୍ୟୁ ପରେ ମା’ ମମତା ନିଃସହାୟ ହୋଇ ବାପଘର ଝରକୁଆଳିରେ ରହି ଏକମାତ୍ର ପୁଅ ସୁମିତଙ୍କୁ ପାଠ ପଢ଼ାଇ ଆସୁଥିଲେ। ଏହି ଅଘଟଣ ପରେ ଝରକୁଆଳି ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି।

 

Dharitri –Odisha’s No.1 Trusted Odia Daily

Share