କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ୱର,୧୦ା୭(ମାନସ ବିଶ୍ୱାଳ): ବାଲେଶ୍ୱରରେ ଥିବା ଝାଡ଼େଶ୍ୱର  କଲେଜରେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ମାନସିକ ନିର୍ଯାତନା ଯୋଗୁ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଝାଡ଼େଶ୍ୱର ଯୁକ୍ତଦୁଇ ବିଜ୍ଞାନ କଲେଜରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ଔପଦା ଈଶ୍ୱରପୁର ଅଞ୍ଚଳର ଜଣେ ଛାତ୍ରୀ  କଲେଜରେ ଥିବା ହଷ୍ଟେଲରେ ରହି ପାଠ ପଡୁଥିବା ବେଳେ ତାଙ୍କୁ ହଷ୍ଟେଲ ଓ୍ବାଡେନ ମାନସିକ ସ୍ତରରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।  ଛାତ୍ରୀ ଜଣକ ଘରକୁ ଯିବା ପାଇଁ ବାହାରିବାରୁ ତାଙ୍କୁ ହଷ୍ଟେଲ ଓ୍ବାଡେନ ତାଗିଦ କରିବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏମିତିକି ଘର ଲୋକଙ୍କ ସହ କଥା ହେବା ପାଇଁ ମଧ୍ୟ ବାରଣ କରାଯାଉଥିବା ଜଣାପଡିଛି। ବାରମ୍ବାର ପରିବାର ଲୋକଙ୍କ ସହ କଥା ହେବାକୁ ନିବେଦନ କରିବା ସହ ଛୁଟିରେ ଘରକୁ ଯିବା ପାଇଁ ଛାତ୍ରୀ ଜଣକ ଅନୁରୋଧ କରିଥିଲେ ମଧ୍ୟ ହଷ୍ଟେଲ ଓ୍ବାଡେନ ସମୀକ୍ଷାଙ୍କୁ ବାରଣ କରିବା ସହ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏମିତି ନିର୍ଯାତନା ସହି ନ ପାରି ଶେଷରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଘରୋଇ କଲେଜରେ ଏମିତି ନିର୍ଯାତନା ଘଟଣା ସାମ୍ନାକୁ ଆସୁଥିବା ବେଳେ ଘର ଛାଡ଼ି ବାହାରେ ରହି ପାଠ ପଢୁଥିବା ପିଲାମାନଙ୍କ ମାନସିକ ଅବସ୍ଥା କଥା ନ ବୁଝି ସେମାନଙ୍କୁ ନିର୍ଯାତନା ଦିଆଯିବା ପରେ  ଏମିତି ଚରମ ନିଷ୍ପତ୍ତି ନେଉଥିବା କୁହାଯାଉଛି।