ବାରଝୁଲା ପ୍ରାଥମିକ ସ୍କୁଲରେ ତଳେ ବସି ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ଅମରପାଲି,୬ା୮(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ବାରଝୁଲା ପ୍ରାଥମିକ ବିଦ୍ୟାଳୟରେ ନିକଟରେ ବନ୍ୟାପାଣି ପଶି ବିଦ୍ୟାଳୟର ଜରୁରୀ କାଗଜପତ୍ର ସହ ମଧ୍ୟାନ୍ନ ଭୋଜନ ପାଇଁ ଗଛିତ ଥିବା ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବନ୍ୟା ପାଣି ପଶିବା ଯୋଗୁ ଶ୍ରେଣୀ କୋଠରୀର ଅବସ୍ଥା ବ୍ୟବହାରଯୋଗ୍ୟ ହୋଇପାରୁନାହିଁ। ଫଳରେ ସ୍କୁଲର ଛାତ୍ରୀଛାତ୍ରମାନେ ଶ୍ରେଣୀ କୋଠରୀ ବାହାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳୁଛି। ୧୯୬୭ ମସିହା ଏପ୍ରିଲ ମାସରେ ସ୍ଥାପିତ ଉକ୍ତ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି l ବର୍ତ୍ତମାନ ୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବାକୁ ଦୁଇ ଜଣ ଶିକ୍ଷକ ଅଛନ୍ତ । ପାଠପଢ଼ା ଠିକ୍‌ଠାକ୍‌ ଚାଲିଥିଲା। ଗତ ଲଘୁଚାପ ଜନିତ ଲଗାଣ ବର୍ଷା ସହିତ ହରିହରଯୋର ଜଳସେଚନ ପ୍ରକଳ୍ପରୁ ହଠାତ ୬ ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଫଳରେ ତଳମୁଣ୍ଡରେ ଥିବା ବାରଝୁଲା ପ୍ରାଥମିକ ସ୍କୁଲରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବେଶ କରି ସମସ୍ତ ସାମଗ୍ରୀ ଭିଜି ନଷ୍ଟ ହୋଇଯାଇଛ।
ସେହିପରି ମଧ୍ୟାହ୍ନ ଭୋଜନ ସାମଗ୍ରୀ ନଷ୍ଟ ହୋଇ ଯାଇଥିବାରୁ ଚାଉଳ ଧାରରେ ଆଣି ଗ୍ୟାସ ମରାମତି କରି ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯାଇଥିବା ବିଦ୍ୟାଳୟ ପ୍ରାଧାନଶିକ୍ଷକ ବିଜୟ କୁମାର ପଧାନ ସୂଚନା ଦେଇଛନ୍ତି। ସ୍କୁଲର ଅନେକ ଖେଳ ସାମଗ୍ରୀ ଭାସି ଯାଇଥିବା ବେଳେ ଆଉ କେତେକ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ସ୍କୁଲର ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବାରୁ ଏବେ ସମସ୍ୟା ହୋଇଛି। ଉକ୍ତ ସ୍କୁଲର ହୋଇଥିବା କ୍ଷୟକ୍ଷତି ଆକଳନ କରି ଯଥାଶୀଘ୍ର ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି l