ଧାରଣାରେ ବସିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୧୯।୪: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମ୍ମିଳିତ ବିଇଡି ଏବଂ ଏମ୍‌ଇଡି ପାଠ୍ୟକ୍ରମ ମାର୍କଶିଟକୁ ନେଇ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଛାତ୍ରୀଛାତ୍ରମାନେ ମଙ୍ଗଳବାର ବିଶ୍ବବିଦ୍ୟାଳୟର ପ୍ରଶାସନିକ ଭବନକୁ ବନ୍ଦ କରିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ ସହଦେବ ସମାଧିଆ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ପରୀକ୍ଷା ନିୟନ୍ତ୍ରକ ଡ.ଲକ୍ଷ୍ମୀଧର ଗିରି ଓ ବିତ୍ତ ନିୟନ୍ତ୍ରକ ଶୁକଦେବ ତରାଇ ଧାରଣାସ୍ଥଳରେ ପହଞ୍ଚତ୍ ୭ ଦିନ ମଧ୍ୟରେ ଏନ୍‌ସିଟିଇ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ସାମୟିକ ଭାବରେ ପ୍ରତ୍ୟାହାର କରିଥିଲେ।
ସୂଚନାଯୋଗ୍ୟ, ଅଧ୍ୟୟନରତ ଛାତ୍ରୀଛାତ୍ରମାନେ ଗତ ୬ ତାରିଖ ଦିନ ସେମାନଙ୍କ ମାର୍କସିଟକୁ ନେଇ ୨୦୧୯ରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ଗିରିଙ୍କୁ ଦେବା ସହ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଥିଲେ। ଛାତ୍ରୀଛାତ୍ରଙ୍କ ଦାବି ମୁତାବକ ସେମାନଙ୍କୁ ଏବେ ପ୍ରଚଳିତ ନିୟମ ଅନୁସାରେ ଗୋଟିଏ ମାର୍କସିଟରେ ଏକା ସହ ବିଇଡି ଏବଂ ଏମଇଡି ମାର୍କ ମିଳିବାର ବନ୍ଦୋବସ୍ତ ରହିଛି। ଯାହା ଫଳରେ ଛାତ୍ରୀଛାତ୍ରମାନେ ପରବର୍ତ୍ତୀ ସମୟରେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଏଥି ମଧ୍ୟରୁ କୌଣସି ଗୋଟିଏ ମାର୍କ ମଗାଗଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଉକ୍ତ ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇଥିବା ଓ ହେବାକୁ ଥିବା ଛାତ୍ରୀଛାତ୍ର ଦୀର୍ଘ ଦିନ ହେବ ଏହି ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରି ନ ଥିବାରୁ ଶେଷରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ବିଭାଗୀୟ ଛାତ୍ର ଅଭିଷେକ ପଣ୍ଡା ଓ ଶୁଭଜିତ ପାଣିଙ୍କ ନେତୃତ୍ୱରେ ମାନସ କୁମାର ଗୋଚ୍ଛାୟତ, ଆକାଶ ମହାରଣା, ସ୍ନେହଲତା ଶଙ୍ଖୁଆ, ଅରୋଲିତା ସାହୁ, ସୁମନ ସଙ୍ଗୀତା ଜେନା, ସ୍ମାରକୀ ପଣ୍ଡା, କାବ୍ୟଶ୍ରୀ ନନ୍ଦ, ସତିସୂତା ମହାପାତ୍ର, ଆରତୀ ନାୟକ, ବର୍ଷା ସେଠୀ, ନବଜ୍ୟୋତି ଶାଶ୍ୱତ ମହାନ୍ତ, ଗୁରୁପ୍ରସାଦ ସାହୁ, ସବ୍ୟସାଚୀ ପାଣିଗ୍ରାହୀ ଓ ବିଶାଖା ରଥ ପ୍ରମୁଖଙ୍କ ସହ ବିଭାଗର ଶତାଧିକ ଛାତ୍ରଛାତ୍ରୀ ସାମିଲ ଥିଲେ।