ଭୋଗରାଇ କଲେଜରେ ଛାତ୍ର ଅଶାନ୍ତି: ୩ ଘଣ୍ଟା ଯାଏ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ

ଭୋଗରାଇ,୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୋଗରାଇ ଗ୍ରାମ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ(ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ବାଣିଜ୍ୟ ଶ୍ରେଣୀର ଜଣେ ଛାତ୍ର ଅନ୍ୟ ଛାତ୍ରୀଛାତ୍ରଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ବାରମ୍ବାର ମାରପିଟ୍‌ ଏବଂ କଲେଜରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହେରୁ ଅଧିକ ଛାତ୍ରୀଛାତ୍ର ଏକଜୁଟ୍‌ ହୋଇ ଉକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୂର୍ବାହ୍ନ ୧୧ଟାରୁ ୩ ଘଣ୍ଟା ଯାଏ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ନାରାବାଜି କରିଥିଲେ। ସ୍ଥିତି କ୍ରମଶଃ ଜଟିଳ ହେବାରୁ କଲେଜ ଅଧ୍ୟକ୍ଷ ଭୋଗରାଇ ପୋଲିସର ସହାୟତା ନେଇ ବିଶୃଙ୍ଖଳ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା।