ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ ସ୍ଥାନରେ ନିଆଁ ଲଗାଇବା କାରଣରୁ ପ୍ରାୟ ୪୦୦ଟି ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଆଶା କରାଯାଉଛି। ଗତ ମାସରେ ପାରିସ୍‌ ଅଞ୍ଚଳରେ ଶିକ୍ଷକ ଅଭାବ, ଦୀର୍ଘ ସ୍କୁଲ ସମୟ ଏବଂ ଖରାପ କୋଠାବାଡ଼ି ଅବସ୍ଥାକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ବର୍ତ୍ତମାନ ସମଗ୍ର ଦେଶରେ ବ୍ୟାପିଛି। ଏହି ବିକ୍ଷୋଭ ଛାତ୍ର ଓ ପୋଲିସ ମଧ୍ୟରେ ମୁହଁାମୁୁହିଁ ପରିସ୍ଥିତି ସୃଷ୍ଟି କରିଛି। ନ୍ୟାୟମନ୍ତ୍ରୀ ଗେରାଲ୍ଡ ଡରମାନିନ କହିଛନ୍ତି ଯେ ଏହି ବିକ୍ଷୋଭ କ୍ରମଶଃ ହିଂସାମତ୍କ ରୂପ ନେଉଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଅଶାନ୍ତି ଆରମ୍ଭ ହେବାଠାରୁ ପ୍ରାୟ ୨୦୦୦ଲୋକଙ୍କୁ ପୋଲିସ ହେପାଜତକୁ ନିଆଯାଇଛି, ଯେଉଁମାନଙ୍କ ମଧ୍ୟରୁ ୯୦ପ୍ରତିଶତ ନାବାଳକ ଅଟନ୍ତି।
ଶୁକ୍ରବାର ପ୍ୟାରିସରେ ଦୁଇଟି ହାଇସ୍କୁଲ ଯଥା ଦକ୍ଷିଣ ପ୍ୟାରିସର ଲିଓନାର୍ଡୋ ଡି ଭିଞ୍ଚି ଏବଂ ଦକ୍ଷିଣ ପୂର୍ବର ଗାଷ୍ଟନ-ବାଚେଲାରରେ ହାଇସ୍କୁଲ ପ୍ରବେଶପଥରେ ନିଆଁଲଗାଇଦିଆଯାଇଥିଲା, ଯାହାକୁ ଆୟତ କରିବା ପାଇଁ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଛାତ୍ରୀଛାତ୍ରମାନେ ଅଧିକାରୀଙ୍କ ବିରୋଧରେ ଅତ୍ୟଧିକ ଶକ୍ତି ପ୍ରୟୋଗ କରିବାର ଅଭିଯୋଗ ଆଣିଛନ୍ତି, ଯେଉଁଥିରେ ପ୍ରଦର୍ଶନକାରୀଙ୍କୁ ଘୁଡ଼ାଇବା ପାଇଁ ଲୁହଗ୍ୟାସ ବ୍ୟବହାର କରାଯାଇଛି। ହାଇସ୍କୁଲର ଶେଷ ବର୍ଷର ଛାତ୍ରୀଛାତ୍ରମାନେ ଏହି ବିକ୍ଷୋଭର ନେତୃତ୍ୱ ନେଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ ସମୟ ଅତ୍ୟଧିକ ଲମ୍ବା ଅଟେ, ଶ୍ରେଣୀଗୃହଗୁଡ଼ିକରେ ଉପଯୁକ୍ତ ସୁବିଧା ନାହିଁ, ଅତ୍ୟଧିକ ଗରମ ହେବା ଏବଂ କର୍ମଚାରୀମାନେ ବାରମ୍ବାର ଅନୁପସ୍ଥିତ ରହୁଛନ୍ତି।
ଶିକ୍ଷାମନ୍ତ୍ରୀ ଏଡୋଆର୍ଡ ଗେଫ୍ରେ କହିଛନ୍ତି ଯେ, ଛାତ୍ରୀଛାତ୍ରଙ୍କ ଯଥାର୍ଥ ଚିନ୍ତାଗୁଡ଼ିକ ହିଂସା ହେତୁ ଘୋଡ଼ାଇ ହୋଇଯାଉଛି। ଅତିକମରେ ୫୬ଜଣ କର୍ମଚାରୀ ଆହତ ହୋଇଛନ୍ତି। ପ୍ରାୟ ୧୭୦ଜଣ ଛାତ୍ରୀଛାତ୍ର ମଧ୍ୟ ଆହତ ହୋଇଥିବାବେଳେ ୧୦୦ରୁ ଅଧିକ ହାଇସ୍କୁଲ ପ୍ରବଳ କ୍ଷତିଗ୍ରସ୍ତ ହୋଇଛି। ଯେଉଁ ପିଲାମାନେ ବିକ୍ଷୋଭ ସମୟରେ କ୍ଷତି ଘଟାଉଛନ୍ତି ସେମାନଙ୍କ ଅଭିଭାବକମାନଙ୍କୁ ଦାୟୀ କରାଯାଉ ଏବଂ ମରାମତି ପାଇଁ ଅର୍ଥ ଦେବାକୁ କୁହାଯାଉ ବୋଲି ସେ ପ୍ରସିକ୍ୟୁଟରମାନଙ୍କୁ ଅନୁରୋଧ କରିଛନ୍ତି। ପଶ୍ଚିମ ସହର ରେନ୍ସରେ ଜିନ୍‌ ମେସ ହାଇସ୍କୁଲ ବାହାରେ ଉତ୍ତେଜନା ଦେଖାଦେଇଥିବା ଖବର ମିଳିଛି, ଯେଉଁଠାରେ କଳା ପୋଷାକ ପିନ୍ଧିଥିବା ବହୁସଂଖ୍ୟକ ଛାତ୍ରୀଛାତ୍ରମାନେ ବହୁସଂଖ୍ୟାରେ ଏକାଠି ହୋଇଥିଲା। କର୍ତ୍ତୁପକ୍ଷ ଏହି ଅଶାନ୍ତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ଗେଫ୍ରେ କହିଛନ୍ତି, ସେ ଆଲୋଚନା ପାଇଁ ଏକ ସାଧାରଣ ସମାଧାନ ଖୋଜିବା ନିମନ୍ତେ ଶୁକ୍ରବାର ଶିକ୍ଷା ଏବଂ ହାଇସ୍କୁଲ ଛାତ୍ର ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କୁ ଭେଟିବେ।
ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଏହି ଅଶାନ୍ତି ଏକ ରାଜନୈତିକ ରୂପ ନେଇଛି। ସରକାର କଠୋର ବାମପନ୍ଥି ଦଳ ‘ଫ୍ରାନ୍ସ ଅନବୋଉଡ’(ଏଲଏଫଆଇ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି, ଯାହାର ନେତା ଜିନ-ଲୁକ-ମେଲେଞ୍ଜନ ପୁନର୍ବାର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏଲ୍‌ଏଫଆଇ ବରିଷ୍ଠ କର୍ମକର୍ତ୍ତା ମାନୁଏଲ ବୋମ୍ପାର୍ଡ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Share