ଛାତ୍ରଙ୍କ ତଣ୍ଟିକଟା ଘଟଣାକୁ ନେଇ କ୍ୟାମ୍ପସରେ ଅଶାନ୍ତି

ବଲାଙ୍ଗୀର ଅଫିସ,୧୦ା୨: ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଜଣେ ଦୁର୍ବୃତ୍ତ ବ୍ଲେଡ୍‌ରେ ଦୁଇ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଯାଇଛି। ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକକୁ ବନ୍ଦ କରି ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି। ଗୁରୁବାର ଦୁଇଜଣ ଛାତ୍ରଙ୍କୁ ଜଣେ ଅଣଛାତ୍ର ତଣ୍ଟି କାଟି ହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଅଶାନ୍ତ ୟୁନିଭର୍ସିଟି କ୍ୟାମ୍ପସ। ଗତକାଲି ସନ୍ଧ୍ୟାରେ ସିମରନ ନାମକ ଜଣେ ଅସାମାଜିକ ଯୁବକ ରାଜେନ୍ଦ୍ର ୟୁନିଭର୍ସିଟି ସମ୍ମୁଖରେ ଥିବା ଗାନ୍ଧି ଷ୍ଟାଡିୟମକୁ ଆସିଥିଲେ। ସେଠାରେ ଲଲିତ ମେହେର ନାମକ ଜଣେ ପି.ଜି ଛାତ୍ରଙ୍କୁ ଦାଦାବଟି ମାଗିଥିଲା। ଛାତ୍ର ଜଣକ ବାରଣ କରିବାରୁ ମୋବାଇଲ ଛଡ଼ାଇ ନେଇ ବ୍ଲେଡ୍‌ରେ ତଣ୍ଟି କାଟିଦେଇଥିଲେ। ପରେ ଏକ ଛୁରି ଧରି ପି.ଜି ଏବଂ ୟୁ.ଜି ହଷ୍ଟେଲ ଭିତରକୁ ପଶି ଋତୁରାଜ ସିଂ ନାମକ ଜଣେ ଛାତ୍ରଙ୍କ ତଣ୍ଟି କାଟିଥିଲେ। ଏପରିକି ଜଣେ ପରିବା ବିକାଳି ଏବଂ ଅନ୍ୟ ଜଣେ ଅଣଛାତ୍ରଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସେ ଦୁଇଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲଲିତ ମେହେରଙ୍କୁ ପ୍ରାଥମିକ ଚିକିତ୍ସା ପରେ ହଷ୍ଟେଲରେ ଛଡ଼ାଯାଇଛି। ଅନ୍ୟପଟେ ରୁତୁରାଜ ସିଂ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏସ୍‌ପି ନୀତିନ କୁଶଳକର ବିଶ୍ୱବିଦ୍ୟାଳୟରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସହ ଏକ ବୈଠକ କରି ଆଲୋଚନା କରିଛନ୍ତି।